ମନ୍ତ୍ରୀଙ୍କ ବଡ଼ ବୟାନ: ୨୦୨୫ ସୁଦ୍ଧା ଜାତୀୟ ଶିକ୍ଷାନୀତି ପ୍ରଚଳନ ନେଇ ପ୍ରସ୍ତୁତି
ଓଏଲ୍ ବ୍ୟୁରୋ: ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ୨୦୨୫ ସୁଦ୍ଧା ବିଦ୍ୟାଳୟରେ ଜାତୀୟ ଶିକ୍ଷାନୀତି ପ୍ରଚଳନ ନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ କାର୍ଯ୍ୟକାରୀ କରିବା ପାଇଁ ଟାସ୍କଫୋର୍ସ ପୁନର୍ଗଠନ କରାଯାଇଛି। ଏହାସହ ୬ଟି ଥିମେଟିକ୍ ସବକମିଟିର ମଧ୍ୟ ଗଠନ କରାଯାଇଛି। ଏଥିରେ ବିଭିନ୍ନ ବିଭାଗର ୧୩ ଜଣ ସଦସ୍ୟ ଥିବାବେଳେ ଉନ୍ନୟନ କମିଶନର ରହିଛନ୍ତି ଏହି ଟାସ୍କଫୋର୍ସର ଅଧ୍ୟକ୍ଷ।
ବିଜ୍ଞପ୍ତି ଅନୁଯାୟୀ, ଟାସ୍କଫୋର୍ସର ଏକ୍ସ-ଅଫିସିଓ ସଦସ୍ୟ ଭାବେ ଭାବେ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବଙ୍କ ସହ ଏସ୍ଟି ଏବଂ ଏସ୍ସି ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଅର୍ଥ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଦକ୍ଷତା ବିକାଶ, କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ସଚିବ ମଧ୍ୟ ସ୍ଥାନ ପାଇଛନ୍ତି। ସେହିପରି ଉଚ୍ଚଶିକ୍ଷା ବିଭାଗର ସଚିବ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଭୁବନେଶ୍ୱରସ୍ଥିତ ରିଜିଓନାଲ ଇନଷ୍ଟିଚ୍ୟୁଟ ଅଫ୍ ଏଜୁକେସନର ପ୍ରିନ୍ସିପାଲଙ୍କୁ ମଧ୍ୟ ଏକ୍ସ-ଅଫିସୋ ସଦସ୍ୟ ଭାବେ ସାମିଲ କରାଯାଇଛି। ଟିଚର୍ସ ଏଜୁକେସନ ଆଣ୍ଡ ଏସସିଇଆରଟି ନିର୍ଦ୍ଦେଶକଙ୍କୁ ଏହି ଜାତୀୟ ଶିକ୍ଷା ନୀତି-୨୦୨୦ର ନୋଡାଲ ଅଫିସର ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କୁ ଆବାହକ ସଦସ୍ୟ ଭାବେ ସାମିଲ କରାଯାଇଛି।
ସେହିପରି ଜାତୀୟ ଶିକ୍ଷାନୀତି-୨୦୨୦ର ବିଭିନ୍ନ ଉପାଦାନକୁ ଅନୁଧ୍ୟାନ ପାଇଁ ୬ଟି ଥିମେଟିକ୍ ସବକମିଟି ମଧ୍ୟ ପୁନର୍ଗଠନ କରାଯାଇଛି। ଏହି ସବକମିଟିରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ନିର୍ଦ୍ଦେଶାଳୟର ମୁଖ୍ୟଙ୍କ ସମେତ ଶିକ୍ଷା କ୍ଷେତ୍ରର ବିଶେଷଜ୍ଞ ଓ ଶିକ୍ଷାବିତମାନଙ୍କୁ ସାମିଲ କରାଯାଇଛି। ଏହି ସବ୍-କମିଟି ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ପ୍ରରିପେକ୍ଷୀରେ ଡ୍ରାଫ୍ଟ ପଲିସି ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରିବେ।