Odisha Link
Bridging the Missing Links in Odisha

ବୁର୍ଲା ଭିମ୍‌ସାରରୁ ଶିଶୁ ଚୋରି: ରେଙ୍ଗାଲିରୁ ଉଦ୍ଧାର ହେଲା କଅଁଳ ଶିଶୁ

ଓଏଲ୍‌ ବ୍ୟୁରୋ: ବୁର୍ଲା ଭିମସାର ପରିସରରୁ ଶିଶୁପୁତ୍ର ଚୋରି ଘଟଣା ସାମ୍ନାକୁ ଆସିଥିଲା। ପୁଲିସ ତଦନ୍ତ ପରେ ରେଙ୍ଗାଲି ଗଣେଶ ନଗରରୁ ଶିଶୁ ପୁତ୍ର ଉଦ୍ଧାର ହୋଇଛି। ଉଦ୍ଧାର ପରେ ପୁଲିସ ୨ ଜଣଙ୍କୁ କାବୁ କରିଛି ବୁର୍ଲା ଭିମସାର ପରିସରରୁ ଶିଶୁପୁତ୍ର ଚୋରି ଅଭିଯୋଗ ପରେ ୪ଟି ଟିମ୍ ଗଠନ କରାଯାଇ ଚୋରିକରିଥିବା ମହିଳାଙ୍କୁ ଧରିବା ଲାଗି ଜୋରଦାର ପ୍ରଚେଷ୍ଟା ହୋଇଥିଲା। ଏନେଇ ବିଭିନ୍ନ ଜିଲ୍ଲା ପୁଲିସକୁ ଆଲର୍ଟ କରାଯାଇଥିଲା। ଉକ୍ତ ମହିଳାଙ୍କ ଫଟୋ ବି ପୁଲିସ ପାଖକୁ ପଠାଯାଇଥିଲା। ପୁଲିସ ଏହା ପରେ ଛାନଭିନ ଜାରି କରିଥିବାବେଳେ ପୁଲିସ ପୁରସ୍କାର ଘୋଷଣା କରିଥିଲା। ଚୋର ଧରିଲେ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ପୁଲିସ ଘୋଷଣା କରିଥିଲା।

ସୂଚନା ଅନୁସାରେ, ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ବସନା ଥାନା ଅନ୍ତର୍ଗତ ବଡ଼େସଜାପାଲି ଗ୍ରାମର ମୋହନ ଦାସଙ୍କ ପତ୍ନୀ ସୀତା ପ୍ରସବ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସିଥିଲେ। ସାଙ୍ଗରେ ସୀତାଙ୍କ ଭଉଣୀ ମଧୁ ମଧ୍ୟ ଆସିଥିଲେ। ଅବସ୍ଥା ଗୁରୁତର ଥିବାରୁ ୨୪ ତାରିଖରେ ଡାକ୍ତର ବୁର୍ଲା ଭିମ୍‌ସାରକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ସେହିଦିନ ରାତିରେ ଭିମ୍‌ସାରରେ ଭର୍ତ୍ତି ହେବା ପରେ ୨୫ ତାରିଖ ଭୋର ସମୟରେ ସୀତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।

ପ୍ରସବ ପରେ ୱାର୍ଡରେ ଥିବା ସମୟରେ ଜଣେ ଅଜଣା ମହିଳା ଆସି ମଧୁଙ୍କ ସହ ସଂପର୍କ ସ୍ଥାପନ କରିଥିଲେ। ପ୍ରଥମଥର ଭିମସାରକୁ ଆସିଥିବାରୁ ସେମାନେ କୌଣସି ବ୍ୟବସ୍ଥା ବିଷୟରେ ଜାଣି ନଥିଲେ। ଏଭଳି ସମୟରେ ଉକ୍ତ ମହିଳା ଜଣକ ମଧୁଙ୍କୁ ସାହାଯ୍ୟ କରିଥିଲେ। ତାଙ୍କ ଘର ସମ୍ବଲପୁରରେ ବୋଲି କହିଥିଲେ। କେଉଁଠି ଶୌଚାଳୟ ଅଛି ଦେଖାଇବା ସହ ଡାକ୍ତରଖାନା ପରିସରରେ ଥିବା କ୍ୟାଣ୍ଟିନକୁ ନେଇ ଖାଦ୍ୟ ଆଣିବାରେ ସହଯୋଗ କରିଥିଲେ। ଏଭଳି ଭାବରେ ମହିଳା ଜଣକ ସେମାନଙ୍କ ସହ ଆତ୍ମୀୟତା ସ୍ଥାପନ କରିବାରେ ସଫଳ ହୋଇଥିଲେ।

ମଧ୍ୟାହ୍ନରେ ସମସ୍ତେ ଖାଉଥିବା ସମୟରେ ସଂପୃକ୍ତ ମହିଳା ଛୁଆକୁ କୋଳେଇ ଖେଳାଉଥିଲେ। କୋଳରେ ଧରି ଖେଳାଇବା ଓ ବୁଲାଇବା ବାହାନାରେ ସେଠାରୁ ଖସି ଯାଇଥିଲେ। ମହିଳା ଜଣକ ଶିଶୁକୁ କୋ‌ଳରେ ଧରି ଆରାମରେ ବାହାରୁଥିବାର ଦୃଶ୍ୟ ସିସିଟିଭିରେ ରହିଛି। ଅଭିଯୋଗ ହେବା ପରେ ପୁଲିସ ସିସିଟିଭି କ୍ୟାମେରା ଯାଞ୍ଚ କରିବା ସହ ତନାଘନା କରିବା ପରେ ଶିଶୁଟି ଉଦ୍ଧାର ହୋଇଛି।

Leave A Reply

Your email address will not be published.