Odisha Link
Bridging the Missing Links in Odisha

ମନ୍ତ୍ରୀଙ୍କ ସୂଚନା: ନାଳ ଉନ୍ନତିକରଣ ଯୋଜନା ପାଇଁ ୩୩୦ କୋଟିର ବ୍ୟବସ୍ଥା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଡ୍ରେନେଜ ବ୍ୟବସ୍ଥା ଓ ଜଳ ନିଷ୍କାସନକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ସରକାର ନାଳ ଉନ୍ନତିକରଣ ଯୋଜନା କାର୍ଯ୍ୟନ୍ଵୟନ କରୁଛନ୍ତି। ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଏଥିପାଇଁ ୩୩୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଆଜି ପ୍ରଶ୍ନକାଳରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ଗୃହରେ ଉତ୍ତର ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଉପରୋକ୍ତ ସୂଚନା ଦେଇଛନ୍ତି।

ଆଜି ପ୍ରଶ୍ନକାଳରେ ମୂଳ ପ୍ରଶ୍ନ କର୍ତ୍ତା ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ସହ ଏକାଧିକ ବିଧାୟକ ନିଜ ନିଜ ଅଞ୍ଚଳରେ ଡ୍ରେନେଜ୍ ଓ ଜଳ ନିଷ୍କାସନକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଜଳ ନିଷ୍କାସନ ପାଇଁ ଯେଉଁ ଅର୍ଥ ନିର୍ବାଚନ ମଣ୍ଡଳୀୱାରୀ ପ୍ରଦାନ କରାଯାଉଛି ତାହା ଯଥେଷ୍ଟ ନୁହେଁ। ଏଥିପାଇଁ ବିଭାଗୀୟ ବ୍ୟୟ ବରାଦ ବୃଦ୍ଧି କରିବାକୁ ଦାବି କରିଥିଲେ ବିଧାୟକ।

ଉତ୍ତରରେ ମନ୍ତ୍ରୀ ଡ. ମହାଲିଙ୍ଗ କହିଥିଲେ ଯେ, ମୋହନ ଚରଣ ମାଝୀଙ୍କ ସରକାର ଏଥିପାଇଁ ସଂପୂର୍ଣ୍ଣ ଯତ୍ନବାନ ଅଛନ୍ତି। ଆଗାମୀ ଦିନରେ ଜଳ ନିଷ୍କାସନ କ୍ଷେତ୍ରରେ ଥିବା ସମସ୍ୟା ଦୂରୀକରଣ ପାଇଁ ବିଭାଗ ଅଧିକ ତତ୍ପରତାର ସହ କାମ କରିବ। ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ ନୟାଗଡ଼ ଜିଲ୍ଲାର ଜଳସେଚନ ବ୍ୟବସ୍ଥା ଉପରେ ସ୍ଵତନ୍ତ୍ର ଧ୍ୟାନ ଦେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.