ଗୃହରେ ମନ୍ତ୍ରୀଙ୍କ ସୂଚନା: ବନ୍ଦ ହେବ ବେଆଇନ ଖଣି କାରବାର, ଗଠନ ହେବ ଟାସ୍କଫୋର୍ସ
ଓଏଲ୍ ବ୍ୟୁରୋ: ରାଜ୍ୟରେ ବେଆଇନ ଖଣି କାରବାରକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଆଜି ଏନେଇ ଗୃହକୁ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ଦିନରେ ବେଆଇନ ଖଣି କାରବାରକୁ ରୋକିବା ପାଇଁ ଜିଲ୍ଲାରୁ ତହସିଲ ଯାଏଁ ଟାସ୍କଫୋର୍ସ ଗଠନ କରାଯିବାର ପ୍ରସ୍ତାବ ରହିଛି। ବେଆଇନ ଖଣି ଉତ୍ତୋଳନକୁ ରୋକିବା ପାଇଁ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ( ଓଆଇଏସଏଫ) ନିୟୋଜିତ କରିବାକୁ ସରକାର ବିଚାର କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।
ଆଜି ପ୍ରଶ୍ନକାଳରେ ବିଧାୟକ ରାଜ୍ୟରେ ବେଆଇନ ଖଣି ଉତ୍ତୋଳନ ଏବଂ ଲଘୁ ଖଣିଜ ସମ୍ପଦରେ ଦୁର୍ନୀତି ନେଇ ଉଦବେଗ ପ୍ରକାଶ କରିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ଏବଂ ଖଣି ବିଭାଗ ଏନେଇ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି। ବିଶେଷକରି ରାଜ୍ୟରେ ଖଣି କ୍ଷେତ୍ରରେ ଗ୍ରେଡ ପରିଚାଳନାରେ ଦୁର୍ନୀତି ଏବଂ ରାଜସ୍ବକୁ କ୍ଷତି ପହଞ୍ଚାଇବାରେ ପୂର୍ଣ୍ଣଛେଦ ପଡ଼ି ସାରିଛି। ଯଦି ଏପରି ଘଟଣା ସାମ୍ନାକୁ ଆସେ, ତାହେଲେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ସେହିପରି ରାଜ୍ୟରେ ମୋଟ ୩୫୫୭ଟି ଲଘୁ ଖଣିଜ ସଂପଦ ଉତ୍ସ ରହିଛି। ତନ୍ମଧ୍ୟରୁ ଏଯାବତ୍ ୨୧୦୭ଟି ଉତ୍ସ ଖଣି ବିଭାଗ ଅଧିନକୁ ଆସିଛି। ସମସ୍ତ ଉତ୍ସ ବିଭାଗ ଅଧିନକୁ ଆସିବା ପରେ ଏଥିରେ ଆହୁରି ସ୍ବଚ୍ଛତା ଆସିବ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି।