ଭୁବନେଶ୍ୱର ସଭାକୁ ଖଲିସ୍ତାନୀ ଧମକ
ଓଏଲ୍ ବ୍ୟୁରୋ: ଆଉ ଦିନକ ପରେ ପ୍ରଥମଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ଡିଜି ସମ୍ମିଳନୀ। ରାଜଧାନୀ ଭୁବନେଶ୍ବରରେ ଏଭଳି ସମ୍ମିଳନୀ ପ୍ରଥମ ଥର ହେଉଥିବାରୁ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର କରିଛନ୍ତି ଓଡ଼ିଶା ସରକାର। ବଡ଼ କଥା ହେଉଛି, ତିନିଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ମଧ୍ୟ ସମ୍ମିଳନୀରେ ଯୋଗ ଦେବେ। ତେବେ ତା ପୂର୍ବରୁ ଖଲିସ୍ତାନୀ ଆତଙ୍କବାଦୀ ଦେଇଛି ଧମକ। ଖଲିସ୍ତାନୀ ପନ୍ନୁ ଟାର୍ଗେଟରେ ଭୁବନେଶ୍ୱର ଡିଜି-ଡିଆଇଜି ବୈଠକ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର ଦିନକ ପୂର୍ବରୁ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂ ପନ୍ନୁ ଧମକ ବାର୍ତ୍ତା ଦେଇଛି।ପ୍ରଥମଥର ପାଇଁ ଓଡ଼ିଶାରେ ହେବାକୁ ଥିବା ଏହି ବୈଠକରେ ବାଧା ସୃଷ୍ଟି କରିବାକୁ ଧମକ ଦେଇଛି ପନ୍ନୁ। ନିଜର ସମର୍ଥକଙ୍କୁ ପନ୍ନୁ ଏକ ଭିଡିଓ ବାର୍ତ୍ତାରେ କହିଛି ଯେ ଭୁବନେଶ୍ବରରେ ହେବାକୁଥିବା ଡିଜି-ଆଇଜି ସମ୍ମିିଳନୀକୁ ଭଣ୍ଡୁର କରିବା ପାଇଁ ପ୍ରସ୍ତୁତି ରୁହନ୍ତୁ। ଏନେଇ ଓଡ଼ିଶା ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ଡିଜି ସମ୍ମିଳନୀ ନେଇ ସୁରକ୍ଷା କଡାକଡି କରୁଛି କମିଶନରେଟ ପୁଲିସ। ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରିଛି ପୁଲିସ। ବିମାନ ବନ୍ଦର ଅଞ୍ଚଳ,ରାଜଭବନ ଅଞ୍ଚଳ,ଲୋକସେବା ଭବନ ଅଞ୍ଚଳ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି। ସେପଟେ ଏଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ରାତିରେ ରାଜଧାନୀର ବିଭିନ୍ନ ଛକରେ ଚାଲିଛି ଜୋରଜୋର ଚେକିଂ। କମିଶନରେଟ ପୁଲିସ ସହିତ ବିଏସଏଫ ଯବାନ ମାନେ ମାନେ ଉପସ୍ଥିତ ରହିଛନ୍ତି। ପ୍ରତ୍ୟେକ ଗାଡ଼ିକୁ ରଖି ଚେକିଂ କରାଯାଉଥିବା ଦେଖିବାକୁ ମିଳିଛି।