ଡିଜିପି ସମ୍ମିଳନୀ ପୂର୍ବରୁ ଓଏଏସ୍ ସ୍ତରରେ ଅଦଳବଦଳ
ଓଏଲ୍ ବ୍ୟୁରୋ: ଡିଜିପି ସମ୍ମିଳନୀ ରାଜ୍ୟ ସରକାର ଗତକାଲି ବରିଷ୍ଠ ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ମୋଟ ୧୯ଜଣ ଓଏଏସ ଅଫିସରଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଯସ୍ମିନ ପଟ୍ଟନାୟକଙ୍କୁ ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳସଚିବ(ରେଜିଷ୍ଟ୍ରାର) ଭାବେ ଅବସ୍ଥାପିତ କରାଯାଇଥିବାବେଳେ ରାଜ୍ୟ ନିର୍ବାଚନ କମିଶନର ଯୁଗ୍ମ ସଚିବ ଶ୍ୱେତ କୁମାର ଦାଶଙ୍କୁ ବ୍ରହ୍ମପୁରଠାରେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟର କୁଳସଚିବ ଭାବେ ବଦଳି କରାଯାଇଛି।
ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପାଢ଼ୀଙ୍କୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଏସସିଇଆରଟି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ଓଏଏସ୍ ବଦଳି ସଂକ୍ରାନ୍ତ ୪ଟି ଭିନ୍ନ ଭିନ୍ନ ବିଜ୍ଞପ୍ତି ଜାରି କରାଯାଇଛି।
ବିଜ୍ଞପ୍ତି ଅନୁସାରେ, ଓଏଏସ୍ ସଞ୍ଜିବିତା ରାୟଙ୍କୁ କଟକସ୍ଥିତ ଓଡ଼ିଶା ଲୋକସେବା ଆୟୋଗର ଯୁଗ୍ମ ପରୀକ୍ଷା ନିୟନ୍ତ୍ରକ ଭାବେ ବଦଳି ହୋଇଛି। ସେହିପରି ଭୁବନେଶ୍ୱରରେ ଇଡକୋ ଲ୍ୟାଣ୍ଡ ଅଫିସର ସ୍ୱାତୀ ମିଶ୍ର ଓ ଓଏଏସ୍ ଅମ୍ବିକା ପ୍ରସାଦ ଦାଶଙ୍କୁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନରେ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ଶିଳ୍ପ ବିଭାଗର ଉପନିର୍ଦ୍ଦେଶକ ହରପ୍ରିୟା ଦାଶଙ୍କୁ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଭାବେ କଟକରେ ଅବସ୍ଥାପିତ କରାଯାଇଛି।
ସେହିପରି ଓଏଏସ୍ ମାନସ ରଞ୍ଜନ ସାମଲଙ୍କୁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନରେ ଉପସଚିବ ଭାବେ ବଦଳି ହୋଇଛି। ବରିଷ୍ଠ ଓଏଏସ୍ ପୁରିନ୍ଦର ଧରୁଆଙ୍କୁ ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ଓଏଏସ୍ ରୀନା ମହାପାତ୍ରଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛି। ଓଏଏସ୍ ଇତିଶ୍ରୀ ଦାସଙ୍କୁ ମହିଳା ଓ ଶିଶୁବିକାଶ ବିଭାଗର ଅତିରିକ୍ତ ସଚିବ, ସୁଚିତ୍ରା ଷଡ଼ଙ୍ଗୀଙ୍କୁ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନରେ ଅତିରିକ୍ତ ଆବାସିକ କମିଶନର ଭାବେ ଅବସ୍ଥାପିତ କରାଯାଇଛି।
ଓଏଏସ୍ ଦୁର୍ଗା ପ୍ରସାଦ ମହାରଣାଙ୍କୁ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଅର୍ଥ ସମବାୟ ନିଗମର ଜେନେରାଲ ମ୍ୟାନେଜର ଭାବେ ବଦଳି ହୋଇଛି। ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଅନନ୍ତ ନାରାୟର ଲାଗୁରୀଙ୍କୁ ମହିଳା ଓ ଶିଶୁବିକାଶ ବିଭାଗର ଅତିରିକ୍ତ ସଚିବ, ଅକ୍ଷୟ କୁମାର ଖେମୁଡୁଙ୍କୁ ରାୟଗଡ଼ା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ(ସିଡିଓ), ହେମାବନ୍ତୀ ପାତ୍ରଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଉପସଚିବ, ଅଜୟ କୁମାର ପ୍ରଧାନଙ୍କୁ ରାୟଗଡ଼ା ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଓ ନିର୍ଲିପ୍ତା ମହାନ୍ତିଙ୍କୁ ବାଲେଶ୍ୱର ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି। ବୋର୍ଡ ଅଫ ରେଭନ୍ୟୁରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଓଏଏସ୍ ଦେବାଶୀଷ ପଟ୍ଟନାୟକ(ଖ)ଙ୍କ ବଦଳି ଆଦେଶକୁ ରଦ୍ଦ କରାଯାଇ ତାଙ୍କୁ ସେଠାରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ପଟ୍ଟନାୟକଙ୍କୁ ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଗତମାସ ୨୯ତାରିଖରେ ବଦଳି ହୋଇଥିଲା।