ମହାରାଷ୍ଟ୍ର ରାଜନୀତି: କିଏ ହେବେ ମୁଖ୍ୟମନ୍ତ୍ରୀ, ମୁମ୍ବାଇ ବୈଠକରେ ନିଆଯିବ ନିଷ୍ପତ୍ତି
ଓଏଲ୍ ବ୍ୟୁରୋ: ମହାରାଷ୍ଟ୍ର ମହାବିଜୟ ପରେ ବିଜେପିିର ଚାଣକ୍ୟ ଅମିତ ଶାହଙ୍କୁ ଭେଟିଛନ୍ତି ମହାୟୁତିର ସଦସ୍ୟ। ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡନାଭିସ୍ ଓ ଅଜିତ ପାଓ୍ବାରଙ୍କ ସମେତ ମହାରାଷ୍ଟ୍ରର ତୁଙ୍ଗ ବିଜେପି ନେତା ଅମିତ ଶାହଙ୍କୁ ଭେଟିଛନ୍ତି। ତେବେ କିଏ ହେବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତାକୁ ନେଇ କୌଣସି ଘୋଷଣା ହୋଇନାହିଁ।
ଏସବୁ ମଧ୍ୟରେ ବଡ଼କଥା କହିଛନ୍ତି ଏକନାଥ ସିନ୍ଦେ। ବିଳମ୍ବିତ ରାତିରେ ମୁମ୍ବାଇରେ ପହଞ୍ଚିଥିବା ଏକନାଥ ସିନ୍ଦେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶାହଙ୍କ ସହ ବୈଠକକୁ ଖୁବ୍ ସକରାତ୍ମକ ବୋଲି କହିଛନ୍ତି। ଏଥିସହ ସେ କହିଛନ୍ତି ମୁମ୍ବାଇରେ ଆଉ ଏକ ବୈଠକ ହେବ, ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ନାମ ଫାଇନାଲ୍ ହେବ। ପୂର୍ବରୁ ସିନ୍ଦେ କହିଥିଲେ ମୁଖ୍ୟମନ୍ତ୍ରୀ ପଦ ନେଇ କୌଣସି ବାଧା ନାହିଁ। ତାଙ୍କ ପାଇଁ ‘ଲାଡଲା ଭାଇ’ ଉପାଧିର ମହତ୍ତ୍ୱ ଖୁବ୍ ଅଧିକ। ସବୁ ଅନ୍ୟ ପଦ ଏହା ଆଗରେ ତୁଚ୍ଛ ବୋଲି ସେ କହିଛନ୍ତି।
ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ? ଏହି ସସ୍ପେନ୍ସ ଉପରୁ ପରଦା ହଟାଇବାକୁ ଗତକାଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଓ ଦେବେନ୍ଦ୍ର ଫଡନାବିସ ଦିଲ୍ଲୀରେ ଡେରା ପକାଇଥିଲେ। ସେଠାରେ ଗୃହ ମନ୍ତ୍ରୀ ଅମିତ ଶାହ ସେମାନଙ୍କ ସହ ପ୍ରାୟ ୩ ଘଣ୍ଟା କାଳ ମାରାଥନ୍ ବୈଠକ କରିଥିଲେ। ଏହାପରେ ବି ମୁଖ୍ୟମନ୍ତ୍ରୀ ନାଁ ଘୋଷଣାରେ ବିଳମ୍ବ ହେଉଛି।
ରାତିରେ ଅମିତ ଶାହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ଦୀର୍ଘ ସମୟ ବୈଠକରେ ବସିଥିବା ବେଳେ ଅଲଗା ଅଲଗା ବି ଆଲୋଚନା କରିଥିଲେ। ଏହି ବୈଠକରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଏନସିପି ସାଂସଦ ସୁନୀଲ ତଟକରେ ଓ ପ୍ରଫୁଲ୍ଲ ପଟେଲ ବି ଉପସ୍ଥିତ ଥିଲେ। ତେବେ ବିଧାୟକଙ୍କ ସଂଖ୍ୟାକୁ ଆକଳନ କଲେ ବିଜେପି ପାଖାପାଖି ୨୦ ମନ୍ତ୍ରାଳୟ ନିଜ ପାଖରେ ରଖିପାରେ ବୋଲି ଚର୍ଚ୍ଚା ହେଉଛି। କେବଳ ସେତିକି ନୁହେଁ ଏଥର ମହାରାଷ୍ଟ୍ରରେ ଏନସିପିଠୁ ଅଧିକ ବିଧାୟକ ମନ୍ତ୍ରୀ ପଦ ଶିବସେନା ହାତେଇପାରେ ବୋଲି ଆଲୋଚନା ଚାଲିଛି।