ରାଜ୍ୟ ପୁସ୍ତକ ମହୋତ୍ସବ: ବୈଠକ ନହେଉଣୁ ତରବରିଆ ଭାବେ ଷ୍ଟଲ୍ ତିଆରି
ଗାଣତାନ୍ତ୍ରିକ ଉପାୟରେ ଷ୍ଟଲ୍ ଆବଣ୍ଟନ ପାଇଁ ଦାବି କଲା ଓଡ଼ିଶା ପ୍ରକାଶକ ସଂଘ
ଓଏଲ୍ ବ୍ୟୁରୋ: ଓଡ଼ିଶା ସରକାରଙ୍କ ଆୟୋଜିତ ରାଜ୍ୟ ପୁସ୍ତକ ମହୋତ୍ସବକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବାବେଳେ ପ୍ରଦର୍ଶନୀ ପଡ଼ିଆରେ ଷ୍ଟଲ୍ ତିଆରି ଆରମ୍ଭ ହୋଇଗଲାଣି। ଷ୍ଟଲ୍ ଆବଣ୍ଟନ ପାଇଁ ଗଠିତ କମିଟିକୁ ଏଯାଏଁ ଥରଟିଏ ବି ବୈଠକ ପାଇଁ ନ ଡାକି କିଭଳି ଷ୍ଟଲ୍ ପ୍ରସ୍ତୁତ ହେଉଛି ବୋଲି ପ୍ରଶ୍ନ କରିଛି ଓଡ଼ିଶା ପ୍ରକାଶକ ସଂଘ। ଗାଣତାନ୍ତ୍ରିକ ଉପାୟରେ ଷ୍ଟଲ ଆବଣ୍ଟନ କରାଯାଉ ବୋଲି ଦାବି କରି ସଂଘ ପକ୍ଷରୁ ଶୁକ୍ରବାର ଦିନ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଦିଆଯାଇଛି।
ଡିସେମ୍ବର ୬ ତାରିଖରୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ରାଜ୍ୟ ସରକାର ୧୨ ଦିନିଆ ପୁସ୍ତକ ମହୋତ୍ସବ ଆୟୋଜନ କରୁଛନ୍ତି। ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଷ୍ଟଲ ଆବଣ୍ଟନ ନେଇ ଅସନ୍ତୋଷ ଦାନା ବାନ୍ଧିଛି। ପୂର୍ବ ବର୍ଷମାନଙ୍କରେ କିଛି ନିର୍ଦ୍ଦିଷ୍ଟ ପ୍ରକାଶକଙ୍କୁ ସରକାର ଷ୍ଟଲ ଆବଣ୍ଟନରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଭିଯୋଗ କରି ପ୍ରକାଶକ ସଂଘ ବିରୋଧ କରିବା ସହ ମେଳାରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିଲା। ଚଳିତ ବର୍ଷ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ଆବଣ୍ଟନ କମିଟିର ବିନା ପରାମର୍ଶରେ ସରକାର ଷ୍ଟଲ୍ ତିଆରି ଆରମ୍ଭ କରିଛନ୍ତି ବୋଲି ସଂଘ ଅଭିଯୋଗ ବାଢ଼ିଛି।
ଆଜି ସଂଘ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିାଭଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଏ ସଂକ୍ରାନ୍ତରେ ଏକ ପତ୍ର ପ୍ରେରଣ କରାଯାଇଛି। ମେଳା ଆୟୋଜନରେ ସଂଘ ସମସ୍ତ ପ୍ରକାର ସହଯୋଗ କରିବା ସହ ସରକାର ଯେକୌଣସି ଗାଣତାନ୍ତ୍ରିକ ନିଷ୍ପତ୍ତି ନେବେ ତାହାକୁ ସମର୍ଥନ କରିବେ ବୋଲି ସଂଘ ସ୍ପଷ୍ଟ କରିଛି। ତେବେ ମେଳାରେ ଷ୍ଟଲ ଆବଣ୍ଟନ ପାଇଁ ସରକାର ଏକ କମିଟି ଗଠନ କରିଥିଲେ। କମିଟିରେ ଓଡ଼ିଶା ପ୍ରକାଶକ ସଂଘର ସଭାପତି କ୍ଷୀରୋଦ ପତିଙ୍କ ସହ ଅନ୍ୟ ପ୍ରକାଶକ ଓ ସରକାରୀ ପଦାଧିକାରୀମାନେ ଅଛନ୍ତି। ଏଯାଏଁ କମିଟିର ଗୋଟିଏ ବି ବୈଠକ ବସି ନଥିବାବେଳେ ଷ୍ଟଲ କେଉଁ ଭିତ୍ତିରେ ପ୍ରସ୍ତୁତ ହେଉଛି ବୋଲି ସଂଘ ପ୍ରଶ୍ନ କରିଛି। କମିଟି ବୈଠକ ଡାକିବା ସହ ସର୍ବସମ୍ମତି କ୍ରମେ ଗାଣତାନ୍ତ୍ରିକ ଉପାୟରେ ଷ୍ଟଲ ଆବଣ୍ଟନ କରାଯାଉ ବୋଲି ସଂଘ ସରକାରଙ୍କୁ ଅନୁରୋଧ କରିଛି। ଏପରିକି କେଉଁ ଉପାୟରେ ଷ୍ଟଲ ଆବଣ୍ଟନ ହୋଇପାରିବ ସେ ନେଇ ସଂଘ ପକ୍ଷରୁ କେତୋଟି ପରାମର୍ଶ ଦିଆଯାଇଛି। ଓଡ଼ିଆ ପ୍ରକାଶକ ଓ ଓଡ଼ିଶାର ପ୍ରକାଶକମାନଙ୍କୁ ମେଳାରେ ଅଗ୍ରାଧିକାର ଦେବାକୁ ସଂଘ ଅନୁରୋଧ କରିଛି। ଷ୍ଟଲ ଯେଉଁ କ୍ରମରେ ବୁକିଂ ହୋଇଛି ସେହି କ୍ରମରେ, ଅଥବା ଅଧିକ ଷ୍ଟଲ୍ ନେଇଥିବା ଓଡ଼ିଆ ପ୍ରକାଶକଙ୍କୁ ଅଗ୍ରାଧିକାର ଭିତ୍ତିରେ ବା ଲଟେରି ମାଧ୍ୟମରେ ଷ୍ଟଲ ଆବଣ୍ଟନ କରିବାକୁ ସଂଘ ଅନୁରୋଧ କରିଛି।
ଏହା ଭିନ୍ନ ଅନ୍ୟ କୌଣସି ଅଧିକ ଯୋଗ୍ୟ ଗାଣତାନ୍ତ୍ରିକ ଉପାୟ ଅବଲମ୍ବନ ପାଇଁ ସରକାରଙ୍କ ନିଷ୍ପତ୍ତିକୁ ମଧ୍ୟ ସଂଘ ସ୍ବାଗତ କରିବ ବୋଲି ସଂଘର ସଭାପତି କ୍ଷୀରୋଦ ପତି କହିଛନ୍ତି। ମେଳା ପଡ଼ିଆରେ ଷ୍ଟଲ ତିଆରି ବନ୍ଦ କରି ପ୍ରଥମେ ବୈଠକ ଡକାଯାଉ, ଏବଂ ସଭ୍ୟମାନଙ୍କ ସର୍ବସମ୍ମତ ନିଷ୍ପତ୍ତି ଅନୁସାରେ ଷ୍ଟଲ ନିର୍ମାଣ ହେଉ ବୋଲି ସେ ଦାବି କରିଛନ୍ତି। ପୂର୍ବ ବର୍ଷମାନଙ୍କରେ ସଂଘର ସଦସ୍ୟମାନଙ୍କୁ ଅଣଦେଖା କରାଯାଇ ଆସିଥିବାବେଳେ ନୂଆ ସରକାରରେ ସେଭଳି ହେବନାହିଁ ବୋଲି ଶ୍ରୀ ପତି ଆଶା ପ୍ରକାଶ କରିଛନ୍ତି।
ସଂଘର ଉପସଭାପତି ବନୋଜ ତ୍ରିପାଠୀ କହିଛନ୍ତି ଯେ କିଛି ନିର୍ଦ୍ଦିଷ୍ଟ ପ୍ରକାଶକଙ୍କ ଅକ୍ତିଆରରେ ରାଜ୍ୟ ପୁସ୍ତକ ମେଳା ନ ରହୁ। ପ୍ରକାଶକ ଓ ପାଠକମାନଙ୍କୁ ସୁହାଇଲା ଭଳି ରାଜ୍ୟ ସରକାର ପୁସ୍ତକମେଳା ଆୟୋଜନ କରନ୍ତୁ ଏବଂ ଷ୍ଟଲ୍ ଆବଣ୍ଟନ ପାଇଁ ଗଠିତ କମିଟିର ପରାମର୍ଶ ନେବା ପରେ ଷ୍ଟଲ ତିଆରି କରନ୍ତୁ।
ସଂଘର ଅନ୍ୟତମ ଉପସଭାପତି ଶ୍ରୀ ସରୋଜ ବଳ କହିଛନ୍ତି ଯେ ପ୍ରକାଶନ କ୍ଷେତ୍ରକୁ ନୂଆ କରି ଆସୁଥିବା ଏବଂ ପ୍ରକାଶନ ଜଗତକୁ ଅଧିକ ପ୍ରସାରୀ କରିଥିବା ଲେଖକ-ପ୍ରକାଶକମାନଙ୍କୁ ସୁଯୋଗ ଦେବା ବଦଳରେ ସରକାର ଅଣଦେଖା କରିବା ଆଶ୍ଚର୍ଯ୍ୟଜନକ। ହାତଗଣତି କେତେଜଣ ପ୍ରକାଶକ ବର୍ଷ ବର୍ଷ ଧରି ବିନା କୌଣସି କାରଣରେ ପ୍ରଥମରୁ ଷ୍ଟଲ ନେଇ ଆସୁଛନ୍ତି ଏବଂ ଏଥର ସେ ଭଳି ହେବନାହିଁ ବୋଲି ଆମେ ଆଶା ପ୍ରକାଶ କରୁଛନ୍ତି।
ସଂଘର ସଂପାଦକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି ଯେ ୨୦୨୨ ମସିହାଠାରୁ ତିନିଚାରି ଜଣ ପ୍ରକାଶକ ରାଜନୈତିକ ପ୍ରଭାବ ପକାଇ ପୁସ୍ତକମେଳାରେ ଷ୍ଟଲ ଆବଣ୍ଟନକୁ ନିୟନ୍ତ୍ରଣ କରି ଆସିଛନ୍ତି। ସଂଘ ଏହାର କଡ଼ା ବିରୋଧ କରିଥିଲେ ବି ସେମାନଙ୍କ କର୍ତ୍ତୃତ୍ବରୁ ମେଳାକୁ ଉଦ୍ଧାର କରିବାରେ ସମ୍ପୂର୍ଣ୍ଣ ସଫଳ ହୋଇନାହିଁ। ନୂଆ ସରକାର ମେଳା ସମ୍ପୂର୍ଣ୍ଣ ଭାବେ ନିଜେ ଆୟୋଜନ କରିବେ ଏବଂ ପ୍ରକାଶକଙ୍କର କୌଣସି ଚାପ ରହିବନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଁ, ପୂର୍ବବର୍ଷର ଧାରା ଏଥର ପୁନରାବୃତ୍ତି ହେବା ଦୁଃଖଦ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶା ପ୍ରକାଶକ ସଂଘ ପକ୍ଷରୁ ଏହାର ସଦସ୍ୟମାନେ ୨୦୨୪ ପୁସ୍ତ ମହୋତ୍ସବ ପାଇଁ ୧୨୦ରୁ ଅଧିକ ଷ୍ଟଲ ବୁକିଂ କରିଛନ୍ତି ବୋଲି ସଂପାଦକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଷ୍ଟଲ ଆବଣ୍ଟନରେ ପ୍ରିୟାପ୍ରୀତି ତୋଷଣ ହେଲେ ସଂଘର ସଦସ୍ୟମାନେ ମେଳାରେ ଯୋଗଦେବେ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।