Odisha Link
Bridging the Missing Links in Odisha

ଓଡ଼ିଶା ଡିଜାବିଲିଟି କନକ୍ଲେଭ ୨୦୨୪ ଅନୁଷ୍ଠିତ

ଭିନ୍ନକ୍ଷମ ଅଧିକାର ଆଇନ ଏବଂ ନୀତିର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ

ଓଏଲ୍‌ ବ୍ୟୁରୋ: ଭିଉଜ୍ ପକ୍ଷରୁ ରବିବାର ‘ଓଡ଼ିଶା ଡିଜାବିଲିଟି କନକ୍ଲେଭ-୨୦୨୪ ‘ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ଦୃଷ୍ଟିହୀନ ସଂଘର ସମ୍ମିଳନୀ କକ୍ଷଠାରେ ରବିବାର ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଅଧିକାର ଆଇନ ଏବଂ ନୀତିର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନୀତି ନିର୍ଦ୍ଧାରଣକାରୀ, ସରକାରୀ ଅଧିକାରୀ ଓ ନାଗରିକ ସମାଜ ସଂଗଠନର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଉପସଚିବ ଶ୍ରୀଯୁକ୍ତ ସନ୍ୟାସୀ ବେହେରା ଏହି କାର୍ଯ୍ୟକ୍ରମର ଉଦ୍ ଘାଟନ କରି କହିଥିଲେ, ୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାରେ ୧୧,୪୪,୯୦୨ ଜଣ ଭିନ୍ନକ୍ଷମ ଥିଲେ ଏବଂ ଆଗାମୀ ଜନଗଣନାରେ ଏହି ସଂଖ୍ୟା ବଢ଼ିପାରେ। ଭିନ୍ନକ୍ଷମଙ୍କ ପାଇଁ ଖାଦ୍ୟ, ପୋଷାକ ଓ ବାସଗୃହ ଭଳି ମୌଳିକ ଆବଶ୍ୟକତାକୁ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ନିକଟରେ ସୁପ୍ରିମ୍ କୋର୍ଟ ଦେଇଥିବା ଏକ ରାୟକୁ ଉଲ୍ଲେଖ କରି ସେ କହିଥିଲେ, ଯଦି ଏହି ନିର୍ଦ୍ଦେଶକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରାନଯାଏ, ତେବେ ଭିନ୍ନକ୍ଷମବ୍ୟକ୍ତିଙ୍କୁ ସଶକ୍ତ କରାଯାଇପାରିବ ନାହିଁ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିବା ପୂର୍ବତନ ରାଜ୍ୟ ଭିନ୍ନକ୍ଷମ କମିଶନର ଶ୍ରୀମତୀ କସ୍ତୁରୀ ମହାପାତ୍ର ଭିନ୍ନକ୍ଷମଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଲୋକଙ୍କୁ ପ୍ରଶଂସା କରିଥିଲେ। ଭିନ୍ନକ୍ଷମବ୍ୟକ୍ତିଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ସହ ସେମାନଙ୍କୁ ଭଲପାଇବା, ସ୍ନେହ ଓ ସମ୍ମାନ ଦେବାକୁ ସେ ନିବେଦନ କରିଥିଲେ। ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ସୁଶାନ୍ତ ପଣ୍ଡା କାର୍ଯ୍ୟକ୍ରମରେ ଯୋଗଦେଇ ଭିନ୍ନକ୍ଷମଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଭିନ୍ନକ୍ଷମଙ୍କ ସମସ୍ୟାର ସମାଧାନ ପାଇଁ ଗ୍ରାମପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ ସଚେତନତା ଅଭିଯାନ ଚଳାଇବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ।

ଭିଉଜ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏସ୍ ଭୀମା ରାଓ ସ୍ୱାଗତ ଅଭିଭାଷଣ ଦେଇ କହିଥିଲେ, ଓଡ଼ିଶା ଡିଜାବିଲିଟି କନକ୍ଲେଭ ୨୦୨୪ ଏଭଳି ଏକ ମଞ୍ଚ ଯେଉଁଠାରେ ଭିନ୍ନକ୍ଷମଙ୍କ ସମସ୍ୟା ଉପରେ ଆଲୋକପାତ କରାଯିବା ସେମାନଙ୍କୁ ସଶକ୍ତ କରିବା ଉପରେ ଧ୍ୟାନ ଦିଆଯାଉଛି। କାର୍ଯ୍ୟକ୍ରମରେ ଅଜିମ ପ୍ରେମଜୀ ଫାଉଣ୍ଡେସନର ରାଜୀବ କୁମାର ରାଉଳ ଓ ଓଏବିର ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେଶ୍ୱର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୦୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ।

Leave A Reply

Your email address will not be published.