Odisha Link
Bridging the Missing Links in Odisha

ଗୃହରେ ମନ୍ତ୍ରୀଙ୍କ ଦୃଢ଼ୋକ୍ତି: ମାର୍ଚ୍ଚ ସୁଦ୍ଧା ଅପହଞ୍ଚରେ ପହଞ୍ଚିବ ମୋବାଇଲ ନେଟୱାର୍କ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ବିଧାନସଭା ଅଧିବେଶନ। ବିଧାନସଭା ଶୀତ ଅଧିବେଶନର ଚତୁର୍ଥ କାର୍ଯ୍ୟ ଦିବସରେ ବିଭିନ୍ନ ବିଭାଗର ଆଲୋଚନା ଚାଲିଛି। ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ରାଜ୍ୟର ଅପହଞ୍ଚ ଗାଁରେ ମୋବାଇଲ ନେଟୱାର୍କ ସେବା ପହଞ୍ଚିବ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ରାଜ୍ୟର ସମସ୍ତ ଗ୍ରାମକୁ ମୋବାଇଲ ନେଟୱାର୍କ ଯୋଗାଇ ଦେବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ବର୍ତ୍ତମାନ ରାଜ୍ୟରେ ୪୭ ହଜାର ୯୦୨ଟି ମୋବାଇଲ ଟାୱାର ଅଛି। ସେଥିରୁ ୧୨ ହଜାର ୬୦୨ଟି 5G ଟାୱାର ରହିଛି। ଅଧିକ 5G ଟାୱାର ଅପଗ୍ରେଡ୍ କରାଯାଉଛି। ୨୦୨୫ ମାର୍ଚ୍ଚ ସୁଦ୍ଧା ଅପହଞ୍ଚ ଗାଁକୁ ସେବା ପହଞ୍ଚାଇବା ଲକ୍ଷ ରହିଛି ବୋଲି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ସୂଚନା ଦେଇଛନ୍ତି।

ରାଜ୍ୟରେ ମୋବାଇଲ ଇଣ୍ଟରନେଟ ସେବାରୁ ବଞ୍ଚିତ ଓ ଏହାର ସମସ୍ୟାକୁ ନେଇ ପ୍ରଶ୍ନକାଳରେ ଗୃହରେ ବିଧାୟକମାନେ ଉଦବେଗ ପ୍ରକାଶ କରିଥିଲେ। ଆଜି ପ୍ରଶ୍ନକାଳ ସମୟରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ସମେତ ଅନ୍ୟ ବିଧାୟକମାନେ ସାରା ରାଜ୍ୟରେ ମୋବାଇଲ ଇଣ୍ଟରନେଟ ସେବାର ସମସ୍ୟା ଓ ଏହାର ସମାଧାନ କରିବାକୁ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ପ୍ରଶ୍ନ କରିଥିଲେ।

ଗୃହରେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଉତ୍ତର ରଖି କହିଥିଲେ ଯେ, ଇଣ୍ଟେରନେଟ ସମସ୍ୟା ଦୂର କରିବାକୁ ଜିଲ୍ଲା ଏଡିଏମଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ ହୋଇଛି। ଟାୱାର ବସାଇବାକୁ ଜମି ଅଧିଗ୍ରହଣ ନେଇ ଏହି ଟାସ୍କ ଫୋର୍ସ କାମ କରିବ। ବର୍ତ୍ତମାନ ରାଜ୍ୟରେ ୪୭ ହଜାର ୯୦୨ଟି ମୋବାଇଲ ଟାୱାର ଅଛି। ସେଥିରୁ ୧୨ ହଜାର ୬୦୨ଟି 5G ଟାୱାର ମାଧ୍ୟମରେ ଗ୍ରାମକୁ ଇଣ୍ଟରନେଟ୍ ସେବା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଡିଜିଟାଲ ଭାରତ ନିଧି ଯୋଜନା ଅନୁସାରେ ୨୦୨୫ ମାର୍ଚ୍ଚ ସୁଦ୍ଧା ସମସ୍ତ ଗାଁକୁ ଇଣ୍ଟେରନେଟ ସୁବିଧା ଯୋଗାଇ ଦିଆଯିବ ବୋଲି ମୁକେଶ ମହାଲିଙ୍ଗ ଗୃହରେ ଉତ୍ତର ଦେଇଥିଲେ।

Leave A Reply

Your email address will not be published.