ଅପରାହ୍ନରେ ପ୍ରଧାନମନ୍ତ୍ରୀ ଦେଖିବେ ‘ସାବରମତୀ ରିପୋର୍ଟ’
ଓଏଲ୍ ବ୍ୟୁରୋ: ସତ୍ୟ ଘଟଣା ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର “The Sabarmati Report”, ଯାହାକି ୨୭ ଫେବୃଆରୀ ୨୦୦୨ର ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ପର୍ଯ୍ୟବସିତ। ଏହି ମର୍ମନ୍ତୁଦ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ରଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦର୍ଶକଙ୍କ ଭଲ ପାଇବା ସାଉଁଟିଥିବା “The Sabarmati Report” ଏବେ ସରକାର ପସନ୍ଦ ପାଲଟିଛି। କାରଣ ଆଜି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ଦେଖିବେ ହିନ୍ଦୀ ଚଳଚ୍ଚିତ୍ର ‘ସାବରମତୀ ରିପୋର୍ଟ’।
ପୂର୍ବରୁ ‘ଦ ସାବରମତୀ ରିପୋର୍ଟ’କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ସତ୍ୟ ସାମ୍ନାକୁ ଆସୁଛି, ଯାହାକୁ ଜନସାଧାରଣ ଦେଖିବାକୁ ସକ୍ଷମ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଭିନେତା ବିକ୍ରାନ୍ତ ମାସେଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ୨୦୦୨ ଗୋଧ୍ରା ଟ୍ରେନ ଟ୍ରାଜେଡି ଘଟଣାବଳୀ ଉପରେ ପର୍ଯ୍ୟବସିତ। ଏହି ଚଳଚ୍ଚିତ୍ର ସମ୍ପର୍କରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ହୋଇଥିବା ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ରଖି ମୋଦୀ କହିଥିଲେ, ଏହା ଅତ୍ୟନ୍ତ ଭଲ ଯେ ସତ୍ୟ ସାମ୍ନାକୁ ଆସୁଛି ଏବଂ ଜନସାଧାରଣ ବି ଏହାକୁ ଦେଖିପାରିବେ। ଏକ ମିଥ୍ୟା ଆଲୋଚନା କେବଳ ସୀମିତ ସମୟସୀମା ପର୍ଯ୍ୟନ୍ତ ବଳବତ୍ତର ରହିପାରିବ। କିନ୍ତୁ ପରିଶେଷରେ ସତ୍ୟ ହିଁ ସାମ୍ନାକୁ ଆସିବ।
ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ରଟି ଧୀରଜ ସରନାଙ୍କ ଦ୍ଵାରା ନିର୍ଦେଶିତ। ୨୦୦୨ ଗୋଧ୍ରା ଟ୍ରେନ ପୋଡ଼ି ଘଟଣା ଉପରେ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଛି, ଯାହାକୁ ନେଇ ଗୁଜରାଟରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା। ସେହି ସମୟରେ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ରହିଥିଲେ। ଏହି ଘଟଣାରେ ତାଙ୍କ ନାମକୁ ବି ବାରମ୍ବାର ଯୋଡ଼ାଯାଇଥିଲା।
ଅନ୍ୟପଟେ, ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସତ୍ୟ ଘଟଣା ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର “The Sabarmati Report”କୁ କାରାମୁକ୍ତ ଘୋଷଣା କରିଥିଲେ।ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ କରମୁକ୍ତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଜଣାଇଥିଲେ।
ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ କରମୁକ୍ତ କରିବା ପାଇଁ ଲୋକଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। କିଛି ସ୍ଵାର୍ଥବାଦୀ ବ୍ୟକ୍ତିଙ୍କ ନିଜସ୍ୱ ସ୍ଵାର୍ଥ ପୂରଣ ଏବଂ ଅସ୍ଥିରତା ସୃଷ୍ଟି ପାଇଁ ଗୋଧ୍ରା ଅଗ୍ନି କାଣ୍ଡରେ କିଭଳି ଭାବରେ କାରସେବକଙ୍କୁ ଜୀବନ୍ତ ଦଗ୍ଧ କରାଯାଇଥିଲା ତାହା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶାଯାଇଛି। ଏହି ଚଳଚ୍ଚିତ୍ର ଅତୀତର ଏଭଳି ଏକ ଲୋମହର୍ଷଣକାରୀ, ହୃଦୟ ବିଦାରକ ସତ୍ୟ ଘଟଣାକୁ ଲୋକଙ୍କ ନିକଟରେ ପହଞ୍ଚାଇବ ଏବଂ ସାଧାରଣ ଜନତା ଅଧିକ ସଚେତନ ହେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ୱିଟ କରି ଲେଖିଥିଲେ।