ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ବିଧାନସଭାରେ ଦାବି ଆଣିଲେ ବିରୋଧୀ
ଓଏଲ୍ ବ୍ୟୁରୋ: ବିଧାନସଭାରେ ଜାରି ରହିଛି ଅଧିବେଶନ। ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ବିଧାୟକଙ୍କ ଦରମାକୁ ନେଇ ପ୍ରସଙ୍ଗ ହୋଇଛି। ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପ୍ରସଙ୍ଗକୁ ନେଇ ବିଧାନସଭାରେ ଦାବି ଆଣିଲା ବିଜେଡି। ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।
ସାରା ଦେଶରେ ବିଧାୟକଙ୍କୁ ଦରମା ପ୍ରଦାନରେ ଓଡ଼ିଶା ୨୭ ନମ୍ବର ରହିଛି। ୨୬ଟି ରାଜ୍ୟର ବିଧାୟକ ଓଡ଼ିଶାର ବିଧାୟକଙ୍କଠାରୁ ଅଧିକ ଦରମା ପାଉଛନ୍ତି। ବର୍ତ୍ତମାନ ବଜାର ଦରକୁ ଅନୁଶୀଳନ କଲେ ବିଧାୟକ ଏବଂ ପୂର୍ବ ବିଧାୟକ ଦୁର୍ଦ୍ଦିନରେ ଅଛନ୍ତି ବୋଲି ଗୃହରେ ସମବେତ ସ୍ଵରରେ ମତ ପ୍ରକାଶ ପାଇଛି। ଏହାସହ ବିଧାୟକଙ୍କ ହାତପାଣ୍ଠି ୩ କୋଟିରୁ ୫ କୋଟି କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ପ୍ରସଙ୍ଗରେ ଗୃହରେ ବାଚସ୍ପତି ସୁରମା ପାଢ଼ୀ ମଧ୍ୟ ଗୃହରେ ରୁଲିଂ ଦେଇଛନ୍ତି।
ବାଚସ୍ପତି କହିଛନ୍ତି ଯେ, ଏ ଗୃହରେ ଶୂନ୍ୟକାଳରେ ଯେଉଁ ବିଷୟରେ ଚର୍ଚ୍ଚା ହେଲା ତାହା ଗୃହର ସମସ୍ତ ବିଧାୟକଙ୍କ ସମ୍ମତି ଥିବା ନେଇ ପ୍ରତୀୟମାନ ହେଲା। ବିଧାୟକଙ୍କ ଦରମା ବୃଦ୍ଧି ଏବଂ ପୂର୍ବ ବିଧାୟକଙ୍କ ପେନସନ ବୃଦ୍ଧି ନେଇ ଯେଉଁ ଦାବି ହେଉଛି, ତାହା ସମୟର ଆବଶ୍ୟକତା ଅଟେ। ଏହା ମୋର ମଧ୍ୟ ଅନୁଭବ ହେଉଛି। ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅଛନ୍ତି, ସେ ଗୃହର ଉଦବେଗ ସରକାରଙ୍କ ନିକଟରେ ଉପସ୍ଥାପିତ କରିବେ। ମୁଁ ମଧ୍ୟ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରେଇବି ବୋଲି ବାଚସ୍ପତି କହିଛନ୍ତି।
ପୂର୍ବ କମିଟି ଯାହା ସୁପାରିଶ କରିଛି ତାହା କାର୍ଯ୍ୟକାରୀ କରାଯାଉ। ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରାଯାଉ। ବିଧାୟକଙ୍କ ଦରମା ଅଢେଇ ଲକ୍ଷ କରିବାକୁ ଦାବି ହୋଇଛି। ପୂର୍ବତନ ବିଧାୟକଙ୍କ ପେନସନ ୭୦ ହଜାର କରିବାକୁ ଦାବି କରିଛି ବିଜେଡି।ବିଧାୟକ ପ୍ରତାପ କେଶରୀ ଦେବ ମଧ୍ୟ ଦରମା ବୃଦ୍ଧି ପାଇଁ ଦାବି ରଖିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ଦରମା ବୃଦ୍ଧି ପାଇଁ ଦାବି ରଖିଛନ୍ତି।