ଚିନ୍ତା ବଢ଼ାଇଛି ଆଳୁ ଦର, ଛତ୍ର ବଜାରରେ ଯୋଗାଣ ବିଭାଗର ଯାଞ୍ଚ
ଓଏଲ୍ ବ୍ୟୁରୋ: ରାଜ୍ୟରେ ଆଳୁକୁ ନେଇ ଅଭାବନୀୟ ସ୍ଥିତି। ଦରଦାମ ବୃଦ୍ଧିକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ। ଏସବୁ ମଧ୍ୟରେ ଆସିଛି ଭଲ ଖବର। ଖୁବଶୀଘ୍ର ଦୂର ହେବ ଆଳୁ ଚିନ୍ତା। କାରଣ ଉତ୍ତରପ୍ରଦେଶରୁ ଆସିବ ୩ ଶହ ଟ୍ରକ୍ ଆଳୁ। ଅନ୍ୟପଟେ ୬ ଟ୍ରକ୍ ଓ ଉତ୍ତର ପ୍ରଦେଶରୁ ୨ ଟ୍ରକ ଆଳୁ ପଶ୍ଚିମବଙ୍ଗରୁ ଆସି ପହଞ୍ଚିଥିବା ଜଣାଯାଇଛି। ଆଳୁ ଗାଡ଼ି ପହଞ୍ଚିବା ପରେ ବଜାରରେ ଆଳୁ ଦର ହ୍ରାସ ପାଇବ ବୋଲି ଗ୍ରାହକ ଆଶାବାଦୀ ଅଛନ୍ତି।
ଦରଦାମ ବୃଦ୍ଧି ପରେ ଛତ୍ରବଜାରରେ ଯୋଗାଣ ବିଭାଗର ୪ ଜଣିଆ ଟିମ୍ ଦରଦାମ ଯାଞ୍ଚ କରୁଛି। ହୋଲସେଲ ପଏଣ୍ଟ ସହ ଖୁଚୁରା ଦୋକାନରେ ଯାଞ୍ଚ କରାଯାଉଛି। ଅଧିକ ଦରରେ ଆଳୁ ବିକ୍ରି ନକରିବାକୁ ତାଗିଦ କରାଯାଉଛି। ଆଜି ଛତ୍ରବଜାରରେ ଆଉ ୬ଟି ଆଳୁ ଗାଡ଼ି ପହଞ୍ଚିଛି ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘ ସାଧାରଣ ସଂପାଦକ ସୁଧାକର ପଣ୍ଡା କହିଛନ୍ତି।