ଆନ୍ଦୋଳନରୁ ଓହରିଲେ ଆଳୁ ବ୍ୟବସାୟୀ, ସ୍ଥିତି ହେବ ସ୍ବାଭାବିକ
ଓଏଲ୍ ବ୍ୟୁରୋ: ଦୂର ହେବ ଆଳୁ ଚିନ୍ତା। ପୁଣି ପଶ୍ଚିମବଙ୍ଗରୁ ଓଡ଼ିଶା ଆସିବ ଆଳୁ। କାରଣ ଆନ୍ଦୋଳନରୁ ଓହରିଲେ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ସଂଘ। ପଶ୍ଚିମବଙ୍ଗର କୃଷି ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ବ୍ୟବସାୟୀ। ଶୀତଳଭଣ୍ଡାର କର୍ମଚାରୀ ମଧ୍ୟ ଆନ୍ଦୋଳନରୁ ଓହରିଲେ। ଆସନ୍ତାକାଲିଠୁ ଶୀତଳ ଭଣ୍ଡାରରୁ ପୂର୍ବପରି ଆଳୁ ବାହାରକୁ ଆସିବ ବୋଲି ସମ୍ଭାବନା କରାଯାଉଛି।
ସୂଚନାଥାଉକି, ପଶ୍ଚିମବଙ୍ଗ ସରକାର ରାଜ୍ୟ ବାହାରକୁ ଆଳୁ ଚାଲାଣ ଉପରେ ରୋକ୍ ଲଗାଇଥିଲେ। ଏହାର ପ୍ରତିବାଦରେ ଶୀତଳ ଭଣ୍ଡାର ଆଳୁ ବ୍ୟବସାୟୀ ଓ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସଂଘର କର୍ମକର୍ତ୍ତାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସରକାର ଓ ବ୍ୟବସାୟୀଙ୍କ ଆଲୋଚନା ସଫଳ ହୋଇଛି।
ଆଳୁ ବ୍ୟବସାୟୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ପରେ ଓଡ଼ିଶାକୁ ଆଳୁ ଆସିବ ବୋଲି ଆଶା କରାଯାଉଛି। ତେବେ କେବେ ଆଳୁ ଆସିବ, ସେନେଇ ନିର୍ଦ୍ଦିଷ୍ଟ ଭାବେ କିଛି ଜଣାପଡ଼ି ନାହିଁ।