“ମୁଖ୍ୟମନ୍ତ୍ରୀ ପଦ କେବଳ ଟେକ୍ନିକାଲ୍, ଆମେ ୩ ମିଶିକି ନିଷ୍ପତ୍ତି ନେବୁ”
ଓଏଲ୍ ବ୍ୟୁରୋ: ୧୨ ଦିନ ଧରି ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଲା। କ୍ଷମତାର ଛକି ଶୂନ ଖେଳରେ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତା ଉପରୁ ପରଦା ମଧ୍ୟ ଉଠିଲା। ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ବିଜେପିର ଟାଣୁଆ ନେତା ଦେବେନ୍ଦ୍ର ଫଡନାଭିସ୍। ଦେବେନ୍ଦ୍ରେ ଫଡନାଭିସ୍, ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାର ମିଳିତ ଭାବେ ଆଜି ରାଜ୍ୟପାଳ ରାଧାକୃଷ୍ଣନଙ୍କୁ ଯାଇ ଭେଟିଛନ୍ତି। ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନା କରିଛନ୍ତି।
ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ କରିବାର ଦାବି ଉପସ୍ଥାପନା କରିବା ପରେ ମହାୟୁତି ଗଠବନ୍ଧନର ତିନି ନେତା ଦେବେନ୍ଦ୍ର ଫଡନାଭିସ୍, ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାର ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, ମୁଖ୍ୟମନ୍ତ୍ରୀ ପଦ କେବଳ ଟେକନିକାଲ୍, ପ୍ରକୃତରେ ଆମେ ତିନି ଜଣ ମିଳିମିଶି ନିଷ୍ପତ୍ତି ନେବୁ। ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାର ମୁଖ୍ୟମନ୍ତ୍ରୀ ପଦ ପାଇଁ ମୋ ନାମ ଆଗକୁ ବଢ଼ାଇଥିଲେ। ଦୁହଁଙ୍କୁ କୃତଜ୍ଞତା ଜଣାଉଛି। ପୂର୍ବପରି ସିନ୍ଦେ ଓ ପାଓ୍ବାର ସକରାତ୍ମକ ଭାବେ ସରକାର ଚଳାଇବେ। ଆମ ତିନି ଜଣ ମିଳିମିଶି ସରକାର ଚଳାଇବୁ। ଆଉ ଲୋକଙ୍କୁ ଦେଇଥିବା ବଚନ ପୂରଣ କରିବାକୁ କାର୍ଯ୍ୟ କରିବୁ ବୋଲି କହିଛନ୍ତି ଦେବେନ୍ଦ୍ର ଫଡନାଭିସ୍।
ଅଜିତ ପାଓ୍ବାର କହିଛନ୍ତି, ଆମ ପାଖରେ ପୂର୍ଣ୍ଣ ବହୁମତ ରହିଛି। ଆମର କୌଣସି ଚିନ୍ତା ନାହିଁ କିଏ କେଉଁଆଡେ ଯିବ। ଆମେ ରାଜନୀତି ଅପେକ୍ଷା ଶାସନ ଉପରେ ଧ୍ୟାନ କେନ୍ଦ୍ରିତ କରିବୁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଅନ୍ୟପଟେ ଏକନାଥ ସିନ୍ଦେ ସାମ୍ବାଦିକ ସମ୍ମିଳନୀରେ ଦେବେନ୍ଦ୍ର ଫଡନାଭିସ୍ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ଯେ ସରକାରରେ ରହିବି ନା ନାହିଁ ଆଜି ସନ୍ଧ୍ୟାରେ କହିବି।
ଆସନ୍ତାକାଲି ସନ୍ଧ୍ୟା ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ୍। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ। ଏହାସହିତ ମହାୟୁତି ଗଠବନ୍ଧନର ସମସ୍ତ ବିଧାୟକ ଓ ନେତା ଉପସ୍ଥିତ ରହିବେ।