‘ହଟିଲେ ରହିତାଦେଶ, ଜବରଦଖଲ ଅଟ୍ଟାଳିକାରେ ଚାଲିବ ବୁଲଡୋଜର’
ଓଏଲ୍ ବ୍ୟୁରୋ: ରାଜ୍ୟରେ ସରକାରୀ ଜମିର ଜବରଦଖଲକୁ ରାଜ୍ୟ ସରକାର ୨ ଭାଗରେ ବିଭକ୍ତ କରିଛନ୍ତି। ଗରିବ, ଭୂମିହୀନ ଲୋକ ଯଦି ୪ ଡିସିମିଲ କିମ୍ବା ଏହାଠାରୁ କମ ଭୂମି ଜବର ଦଖଲ କରିଥିବେ, ଏହାକୁ ଜବର ଦଖଲ କୁହାଯିବ ନାହିଁ। ଆମେ ସେମାନଙ୍କୁ ଉକ୍ତ ଜମିର ପଟ୍ଟା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବୁ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଖର୍ଚଦାବି ଆଲୋଚନାରେ ଭାଗ ନେଇ ମନ୍ତ୍ରୀ କହିଛନ୍ତି ଯେ କିଛି ଧନୀ, ପ୍ରଭାବଶାଳୀ ଲୋକ ସରକାରୀ ଜମି ମାଡିବସି ବଡ ବଡ଼ ଅଟ୍ଟାଳିକା ନିର୍ମାଣ କରିଛନ୍ତି। ଏ ସଂକ୍ରାନ୍ତୀୟ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାବେଳେ କୋର୍ଟ ରହିତାଦେଶ ଜାରି କରିଛନ୍ତି। ଯେଉଁଦିନ ରହିତାଦେଶ ଉଠିବ, ସେହିଦିନ ଉକ୍ତ ଅଟ୍ଟାଳିକା ଉପରେ ବୁଲ୍ଡୋଜର ଚାଲିବ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗରିବ ଲୋକଙ୍କୁ ଜମି ଏବଂ ଘର ଯୋଗାଇ ଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ପ୍ରତି ମାସର ଶେଷ ଶନିବାର ତହସିଲଦାର ଓ ବିଡ଼ିଓ ଏକ ସାଙ୍ଗରେ ବୈଠକ କରି ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଏବଂ ମାଗଣା ଜମି ପ୍ରଦାନ ପାଇଁ ପଦକ୍ଷେପ ନେବେ ବୋଲି ଗୃହରେ ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ନଭେମ୍ବରରେ ସୁପ୍ରିମକୋର୍ଟ ବୁଲଡୋଜର ଆକ୍ସନରେ ବ୍ରେକ୍ ଲଗାଇଥିଲେ। ଜବରଦଖଲ ଭାଙ୍ଗିବା ସମ୍ପର୍କରେ କାର୍ଯ୍ୟନିର୍ବାହୀ ନେଇପାରିବେନି ନିଷ୍ପତ୍ତି। ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ପୂର୍ବରୁ ନିରପେକ୍ଷ ବିଚାର ଜରୁରୀ। କର୍ତ୍ତୃପକ୍ଷଙ୍କ ତୁଳନାରେ ଅଧିକାରୀମାନେ ଅଧିକ ସକ୍ରିୟ ହେଉଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ଆଦେଶ କୌଣସି ରାଜ୍ୟ ପାଇଁ ନୁହେଁ, ବରଂ ସମଗ୍ର ଦେଶ ପାଇଁ ଅଟେ। ଅଦାଲତ କହିଛନ୍ତି ଯେ, କେବଳ ଦୋଷୀ କିମ୍ବା ଅପରାଧିକ ମାମଲାରେ ଅଭିଯୁକ୍ତଙ୍କ ଆଧାରରେ କାହାର ଘର ଭାଙ୍ଗି ପାରିବ ନାହିଁ।
ଜାରି ହୋଇଥିବା ଗାଇଡଲାଇନ୍ ଅନୁସାରେ, ଭାଙ୍ଗିବାର ୧୫ ଦିନ ପୂର୍ବରୁ ନୋଟିସ୍ ପଠାଇବା ଜରୁରୀ। କେବଳ ଏତଲା ଆଧାରରେ ଘର ଭାଙ୍ଗି ପାରିବେନି। ଘର ଭାଙ୍ଗିବା ବେଳେ ଭିଡିଓଗ୍ରାଫି ହେବା ଉଚିତ୍, ଉଲ୍ଲଂଘନ କଲେ ଆକ୍ସନ। ଘର ଭାଙ୍ଗିବା ମୌଳିକ ଅଧିକାର କ୍ଷୂଣ୍ଣ କରୁଛି। ଯଦି ଜଣେ ଅଭିଯୁକ୍ତ, ତେବେ ପୁରା ପରିବାରକୁ ଦଣ୍ଡ କାହିଁକି ବୋଲି ସୁପ୍ରିମକୋର୍ଟ ଶୁଣାଇଥିଲେ
ଏଭଳି ପରିସ୍ଥିତିରେ କର୍ତ୍ତୃପକ୍ଷ ଆଇନକୁ ଅଣଦେଖା କରିପାରିବେ ନାହିଁ ଏବଂ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। ମୌଳିକ ଅଧିକାରକୁ ଆଗକୁ ବଢାଇବା ଏବଂ ଆଇନଗତ ଅଧିକାର ହାସଲ କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇପାରିବ ବୋଲି କୋର୍ଟ କହିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ପୂର୍ବରୁ ନିରପେକ୍ଷ ବିଚାର ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଗତ ୧୦ ତାରିଖରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଥିଲେ, ଆଇନର ଶାସନରେ ବୁଲଡୋଜର ନ୍ୟାୟ ସ୍ୱୀକାର ଯୋଗ୍ୟ ନୁହେଁ। ଯଦି ଏହାକୁ ଅନୁମତି ଦିଆଗଲା ତେବେ ଅନୁଚ୍ଛେଦ ୩୦୦(କ)ର ସମ୍ପତ୍ତଗତ ଅଧିକାର ସାମ୍ବିଧାନିକ ମାନ୍ୟତାରୁ ବାଦ୍ ପଡିବ। ଏହି ଧାରାର କୌଣସି ମୂଲ୍ୟ ରହିବ ନାହିଁ। ରାଜ୍ୟରେ ବେଆଇନ ଜବରଦଖଲ ଓ କିମ୍ବା ବେଆଇନ ଭାବେ ନିର୍ମାଣ ହୋଇଥିବା ସଂରଚନାକୁ ହଟାଇବା ପାଇଁ ପଦକ୍ଷେପ ନେବା ପୂର୍ବରୁ ଆଇନ୍ର ଉଚିତ ପ୍ରକ୍ରିୟାକୁ ପାଳନ କରିବା ଉଚିତ।
ବୁଲଡୋଜର ମାଧ୍ୟମରେ ନ୍ୟାୟ ନ୍ୟାୟଶସ୍ତ୍ରର କୌଣସି ସଭ୍ୟ ପ୍ରଣାଳୀ ପାଇଁ ଠିକ୍ ନୁହେଁ। ଏହା ବିପ୍ପଜନକ, ଯଦି ରାଜ୍ୟମାନଙ୍କର କୌଣସି ଓ୍ୱିଙ୍ଗ କିମ୍ବା ଅଧିକାରୀଙ୍କ ଦ୍ୱାରା ବୁଲଡୋଜର ନ୍ୟାୟକୁ ଅନୁମତି ଦିଆଯାଏ, ତେବେ ନାଗରିକଙ୍କ ସମ୍ପତ୍ତି ବାହ୍ୟ କାରଣରୁ ଭାଙ୍ଗି ଦିଆଯିବ ବୋଲି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଥିଲେ।