ଦେବେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: କ୍ଷମତାର ଛକି ଶୂନ ଖେଳରେ ବାଜି ମାରିଲେ ବିଜେପିର ଟାଣୁଆ ନେତା ଦେବେନ୍ଦ୍ର ଫଡ଼ନାଭିସ୍। ମହାରାଷ୍ଟ୍ରରେ ମହାୟୁତିର ବିରାଟ ବିଜୟ ପରେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ଦେବେନ୍ଦ୍ର ଫଡ଼ନାଭିସ୍। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନକୁ ନେଇ ବିଗତ ୧୨ ଦିନ ଧରି ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ସେଥିରେ ବିରାମ ପଡ଼ିଛି। ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଦେବେନ୍ଦ୍ର ଫଡନାଭିସ୍ଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେବେନ୍ଦ୍ର ଫଡନାଭିସ୍ଙ୍କୁ ଏକ୍ସରେ ଶୁଭେଚ୍ଛା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ଲେଖିଛନ୍ତି, ବିଜେପି ବିଧାୟକ ଦଳ ନେତା ଭାବେ ମନୋନୀତ ହୋଇଥିବାରୁ ଦେବେନ୍ଦ୍ର ଫଡନାଭିସ୍ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଓ ଆପଣଙ୍କର ନେୃତ୍ବରେ ମହାରାଷ୍ଟ୍ର ବିକାଶର ଶିଖର ଛୁଇଁବ।
ଦେବେନ୍ଦ୍ର ଫଡ଼ନାଭିସ୍ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ସନ୍ଧ୍ୟା ୫ଟାରେ ଶପଥ ନେବେ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ ଜଣାପଡ଼ିଛି। ଏନେଇ ମୋଦିଙ୍କ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ କରାଯାଇଛି ମଧ୍ୟ। ବୁଧବାର ବିଜେପି ବିଧାୟକ ଦଳ ବୈଠକରେ ଫଡ଼ନାଭିସ୍ଙ୍କୁ ବିଧାୟକ ଦଳ ନେତା ମନୋନୀତ କରାଯାଇଛି। ବର୍ତ୍ତମାନ ମହାୟୁତି (ବିଜେପି,ଶିବସେନା, ଏନ୍ସିପି)ଗଠବନ୍ଧନର ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି। ଏଥିରେ ବି ଦେବେନ୍ଦ୍ର ଫଡନାଭିସ୍ଙ୍କ ନାମରେ ମୋହର ବାଜିଛି। ମହାରାଷ୍ଟ୍ର ସରକାର ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି।
ନଭେମ୍ବର ୨୩ ତାରିଖରେ ଘୋଷଣା ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳରେ ମହାୟୁତିକୁ ମିଳିଥିଲା ବଡ଼ ସଫଳତା। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ୨୩୦ଟି ଆସନ ଜିତିଥିଲା ମହାୟୁତି ଗଠବନ୍ଧନ। ବିଜେପି ୧୩୨ଟି ଆସନରେ ବିଜୟୀ ହୋଇଥିବା ବେଳେ ସିନ୍ଦେଙ୍କ ଶିବସେନା ଗୋଷ୍ଠୀ ୫୭ଟି ଆସନ ଜିତିଥିବା ବେଳେ ଏନସିପି ୪୧ଟି ଆସନରେ ବାଜି ମାରିଛି।