ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାଭିସ୍
ଓଏଲ୍ ବ୍ୟୁରୋ: କ୍ଷମତାର ଛକି ଶୂନ ଖେଳରେ ବାଜି ମାରିଲେ ବିଜେପିର ଟାଣୁଆ ନେତା ଦେବେନ୍ଦ୍ର ଫଡନାଭିସ୍। ମହାରାଷ୍ଟ୍ରରେ ମହାୟୁତିର ବିରାଟ ବିଜୟ ପରେ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ଦେବେନ୍ଦ୍ର ଫଡ଼ନାଭିସ୍। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶପଥ ନେଲେ ଦେବେନ୍ଦ୍ର ଫଡ଼ନାଭିସ୍।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନକୁ ନେଇ ବିଗତ ୧୨ ଦିନ ଧରି ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ସେଥିରେ ବିରାମ ପଡ଼ିଛି। ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଦେବେନ୍ଦ୍ର ଫଡନାଭିସ୍। ଦେବେନ୍ଦ୍ର ଫଡନାଭିସ୍ଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଠ ନେତା ଯୋଗ ଦେଇଛନ୍ତି। ଆଜି ମୁମ୍ବାଇ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେବେନ୍ଦ୍ର ଫଡନାଭିସ୍ଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି।
ନଭେମ୍ବର ୨୩ ତାରିଖରେ ଘୋଷଣା ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳରେ ମହାୟୁତିକୁ ମିଳିଥିଲା ବଡ଼ ସଫଳତା। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ୨୩୦ଟି ଆସନ ଜିତିଥିଲା ମହାୟୁତି ଗଠବନ୍ଧନ। ବିଜେପି ୧୩୨ଟି ଆସନରେ ବିଜୟୀ ହୋଇଥିବା ବେଳେ ସିନ୍ଦେଙ୍କ ଶିବସେନା ଗୋଷ୍ଠୀ ୫୭ଟି ଆସନ ଜିତିଥିବା ବେଳେ ଏନସିପି ୪୧ଟି ଆସନରେ ବାଜି ମାରିଛି।