ଶୂନ୍ୟକାଳରେ ଉଠିଲା ସିନେମା ହଲ ପ୍ରସଙ୍ଗ: ବହୁମୁଖି ସିନେମା ହଲ ପାଇଁ ବିଧାୟକଙ୍କ ଦାବି
ଓଏଲ୍ ବ୍ୟୁରୋ: ବିଧାନସଭାର ଶୀତ ଅଧିବେଶନ ଜାରି ରହିଛି। ବିଭିନ୍ନ ବିଭାଗର ପ୍ରଶ୍ନ ଉତ୍ତର ଜାରି ରହିଥିବାବେଳେ ରାଜ୍ୟରେ ସିନେମା ହଲର ଦୁଃସ୍ଥିତିକୁ ନେଇ ଆଜି ଶୂନ୍ୟକାଳରେ ଗୃହରେ ଉଦବେଗ ପ୍ରକାଶ ପାଇଛି। ରାଜ୍ୟରେ ବହୁମୁଖି ସିନେମା ହଲ ନିର୍ମାଣ ହେଉ ବୋଲି ବିଧାୟକ ଆକାଶ ଦାସ ନାୟକ କହିଛନ୍ତି।
ଶୂନ୍ୟକାଳରେ ବିଧାୟକ ଆକାଶ ଦାସ ନାୟକ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ଓଡ଼ିଆ ସିନେମା କୋମା ଅବସ୍ଥାରେ ଅଛି। ଅଧିକାଂଶ ସ୍ଥାନରେ ସିନେମା ହଲ ବନ୍ଦ ହୋଇଗଲାଣି। ସାଢେ ୪ କୋଟି ଜନସଂଖ୍ୟା ବିଶିଷ୍ଟ ଓଡ଼ିଶାରେ ଏବେ ମାତ୍ର ୪୦-୫୦ଟି ସିନେମା ହଲ କାର୍ଯ୍ୟକ୍ଷମ ଅଛି। ଏପରିକି ପୁରୀ ଭଳି ଜିଲ୍ଲାରେ ବର୍ତ୍ତମାନ ସିନେମା ହଲ ନାହିଁ। ତେଣୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାରେ ବହୁମୁଖି ସିନେମା ହଲ ନିର୍ମାଣ ହେଉ।
ଯାହାଫଳରେ ଶହ ଶହ କଳାକାର, ଟେକ୍ନିସିଆନ ଏବଂ ସେମାନଙ୍କ ପରିବାର ଉପକୃତ ହେବେ ଏବଂ ସରକାରୀ ସ୍ତରରେ ମଧ୍ୟ ସ୍ବାର୍ଥ ସାଧନ ହୋଇପାରିବ। ସେହିପରି ପୂର୍ବରୁ ଥିବା ରାଜ୍ୟ ଚଳଚ୍ଚିତ୍ର ନୀତିକୁ ସଂଶୋଧନ କରି କାର୍ଯ୍ୟକ୍ଷମ କରିବା ସହ ଓଡ଼ିଶାର ବରପୁତ୍ରଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ର ଉପରେ ସବସିଡି ଦେବାକୁ ସେ ଗୃହରେ ଦାବି କରିଛନ୍ତି।