ନୃଶଂସ ବାପା, ଟଙ୍କା ପାଇଁ ନେଇଗଲା ପୁଅ ଓ ବୋହୂଙ୍କ ଜୀବନ
ଓଏଲ୍ ବ୍ୟୁରୋ: ବାପା, ମା’ଙ୍କୁ ନିଜ ସନ୍ତାନ ମାନେ ବୃଧାଶ୍ରମରେ ଛାଡ଼ି ଦେଉଥିବା, କେତେବେଳେ ଖାଇବାକୁ ନଦେଉଥିବା ଅନେକ ଖବର ସାମ୍ନାକୁ ଆସିଛି। ବାପା ମା ଭୁଲ କରିବାର ବହୁତ କମ ଦୃଷ୍ଟାନ୍ତ ଦେଖିବାକୁ ମିଳେ। ହେଲେ ଏଥର ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଅତ୍ୟନ୍ତ ହୃଦୟବିଦାରକ। ପୁଅ ଟଙ୍କା ନଦେବାରୁ ପୁଅ ଓ ବୋହୂଙ୍କୁ ବାପା ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି। ଆଉ ପୁଅ ଓ ବୋହୂ ୨ ଜଣ ପ୍ରାଣ ମଧ୍ୟ ହରାଇଛନ୍ତି।
ସୂଚନା ଅନୁସାରେ, ନଭେମ୍ବର ୩୦ ତାରିଖରେ ବାପା ଗୋବର୍ଦ୍ଧନ ନିଜ ପୁଅ ଦୀନବନ୍ଧୁଙ୍କୁ ଟଙ୍କା ମାଗିଥିଲେ। ହେଲେ ଦୀନବନ୍ଧୁ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏଥିରେ ଗୋବର୍ଦ୍ଧନ ଉତକ୍ଷିପ୍ତ ହୋଇ ପୁଅ, ବୋହୂ ଖାଇବାବେଳେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ରବିବାର ଚିକିତ୍ସାଧୀନ ଅବସ୍ଥାରେ ଦୀନବନ୍ଧୁଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଭୋରରୁ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଛି। ଦୁହିଁଙ୍କର ୪ ବର୍ଷର ପୁଅ ଏବେ ବାପା, ମାଆଙ୍କୁ ହରାଇ ଅନାଥ ହୋଇ ଯାଇଛି। ଅଭିଯୁକ୍ତ ବାପା ଗୋବର୍ଦ୍ଧନ ରାଉତଙ୍କୁ ଗିରଫ କରିଛି ପୁଲିସ। କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ବାରସିଙ୍ଗା ଗାଁରେ ଗତ ଶନିବାର ଏହି ଜଘନ୍ୟକାଣ୍ଡ ଘଟିଥିଲା।