‘ପାଠ କେବଳ ଚାକିରି ପାଇଁ ନୁହେଁ, ଶିକ୍ଷିତ ହେବା ପାଇଁ ଆବଶ୍ୟକ’

ଓଏଲ୍ ବ୍ୟୁରୋ: ଝୁମୁଛି ରାଇରଙ୍ଗପୁର ଉପରବେଢା ଗାଁ। ଆଦିବାସୀ ନୃତ୍ୟର ତାଳେ ତାଳେ ମହାମହିମଙ୍କୁ କରାଗଲା ସ୍ୱାଗତ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଚତୁର୍ଥ ଦିନ। ମୟୂରଭଞ୍ଜକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ମହାମହିମ। ମୟୂରଭଞ୍ଜ ଗସ୍ତ କରି ମହାମହିମ ଉପରବେଡ଼ା ସରକାରୀ ୟୁପି ବିଦ୍ୟାଳୟରେ ସମ୍ବୋଧନ କରିଛନ୍ତି।
ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବାକୁ ଉତ୍ସାହିତ କରିବା ସହ ମହାମହିମ କହିଛନ୍ତି, ଛାତ୍ରମାନେ ଦେଶର ଭବିଷ୍ୟତ, ସେମାନଙ୍କ ଉପରେ ଦେଶ ନିର୍ଭର କରୁଛି। ରାଷ୍ଟ୍ରପତି କହିଛନ୍ତି, ପାଠ କେବଳ ଚାକିରି ପାଇଁ ନୁହେଁ, ଶିକ୍ଷିତ ହେବା ପାଇଁ ଆବଶ୍ୟକ। ସମାଜରେ ବଡ଼ ହେବାକୁ ହେଲେ, ନାଁକୁ ବଢ଼ାଇବାକୁ ପଡ଼େ। ଏବେ ପାଠପଢ଼ା ପାଇଁ ବହୁତ ସୁବିଧା ହେଲାଣି, ସହଯୋଗ ମିଳୁଛି। ଏକତ୍ରିତ ହୋଇ ରହିଲେ ସବୁ ସମସ୍ୟାର ସମାଧାନ ମିଳେ। ପିଲା ନଆସିଲେ କାରଣ କ’ଣ ବୁଝିବାକୁ ଶିକ୍ଷକ ଯାଆନ୍ତୁ। ପିଲାଙ୍କୁ ଆଗକୁ ବଢ଼ାଇବା କେବଳ ଶିକ୍ଷକଙ୍କ ନୁହଁ ଅଭିଭାବକଙ୍କ ମଧ୍ୟ କାମ ବୋଲି ମହାମହିମ କହିଛନ୍ତି।
ନିଜ ପରିବାର ଅପେକ୍ଷା ମୁଁ ମୋ ଗାଁ ଲୋକଙ୍କୁ ଅଧିକ ଭଲ ପାଉଥିଲି। ଗାଁ ଲୋକଙ୍କ ଭିତରେ ମୋର ପରିବାର ଦେଖୁଥିଲି। ଏବେ ଲୋକଙ୍କ ଭିତରେ ସଂପର୍କ ଟିକେ ଫିକା ହେବାକୁ ଲାଗିଲାଣି। ଏଣୁ ଆମ ସମସ୍ତଙ୍କୁ ଏକ ହୋଇ ଆଗକୁ ବଢ଼ିବାକୁ ପଡ଼ିବ। ପୂର୍ବେ ଗାଁର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସନ୍ଧ୍ୟାବେଳେ କୀର୍ତ୍ତନ ହେଉଥିଲା। ଗୋଟିଏ ସ୍ଥାନରେ ଏକତ୍ର ହେବାଦ୍ବାରା ଲୋକଙ୍କ ଭିତରେ ଏକତା ଭାବ ସୃଷ୍ଟି ହୁଏ ବୋଲି ମହାମହିମ କହିଛନ୍ତି।