ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ମହାମହିମ, ମଧ୍ୟାହ୍ନରେ ନିଜ ଗ୍ରାମବାସୀଙ୍କୁ ଭେଟିବେ
ଓଏଲ୍ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଚତୁର୍ଥ ଦିନ। ଅପେକ୍ଷା କରିଛି ଜନ୍ମମାଟି। ମୟୂରଭଞ୍ଜକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ମହାମହିମ। ଏହା ପୂର୍ବରୁ ରାଜଭବନରୁ ବାହାରି ଡକ୍ଟର ବି.ଆର୍.ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ଅବସରରେ ଭୁବନେଶ୍ୱର ଏଜି ଛକ ଠାରେ ଭୀମରାଓ ରାମଜୀ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାପରେ ବିଜୁପଟ୍ଟନାୟକ ବିମାନବନ୍ଦରରୁ ବାୟୁସେନାର ବିମାନ ଯୋଗେ ପଶ୍ଚିମବଙ୍ଗସ୍ଥିତ କଲେଇକୁଣ୍ଡା ଏୟାରବେସରେ ୧୦.୧୫ମିନିଟ ସମୟରେ ଅବତରଣ କରିବେ।
ପରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡସ୍ଥିତ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ପୁର୍ବାହ୍ନ ୧୧ଟା ୦୫ମିନିଟରେ ଅବତରଣ କରିବ ରାଷ୍ଟ୍ରପତିଙ୍କ ହେଲିକପ୍ଟର। ସେଠାରୁ ସଡକପଥରେ ନିଜ ଜନ୍ମଗାଁ ଉପରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଭାବବିନିମୟ କରିବେ ରାଷ୍ଟ୍ରପତି।
ମଧ୍ୟାହ୍ନ ୧୨.୦୫ରେ ସେଠାରୁ ବାହାରି ଉପରବେଡାସ୍ଥିତ ପୈତୃକ ଘରେ ପହଞ୍ଚି ଆତ୍ମୀୟସ୍ୱଜନ ଓ ଗ୍ରାମବାସୀଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ୧୨.୩୦ମିନିଟରେ ଉପରବେଡାରୁ ବାହାରି ସଡକପଥରେ ରାଇରଙ୍ଗପୁରସ୍ଥିତ ଗେଷ୍ଟ ହାଉସ ଠାରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବେ।
ଅପରାହ୍ନ ୩ଟା ସମୟରେ ରାଇରଙ୍ଗପୁରସ୍ଥିତ ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ପହଞ୍ଚି ନିଜ ସ୍ୱାମୀ ଓ ୨ପୁତ୍ରଙ୍କ ସ୍ମୃତିରେ ସ୍ଥାପନ କରିଥିବା ଏସ.ଏଲ୍.ଏସ୍. ଟ୍ରଷ୍ଟ ପକ୍ଷରୁ ଏକ ଆମ୍ବୁଲାନ୍ସ ଡାକ୍ତରଖାନାକୁ ହସ୍ତାନ୍ତର କରିବା ସହ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ଦ୍ରୌପଦୀ ମୁର୍ମୁ। ଏହାପରେ ଅପରାହ୍ନ ୪ଟା ସମୟରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଠାରେ ପହଞ୍ଚି ବିଦ୍ୟାର୍ଥୀ ଓ ଶିକ୍ଷକଙ୍କ ସହ ଭାବବିନିମୟ କରିବେ।
ସେଠାରୁ ବାହାରି ଅପରାହ୍ନ ୪ଟା ୫୦ମିନିଟ ସମୟରେ ରାଇରଙ୍ଗପୁରସ୍ଥିତ ପୁଣ୍ୟେଶ୍ୱର ଶିବମନ୍ଦିର ଠାରେ ନୂତନ ଭାବେ ସ୍ଥାପିତ ଗଣେଶ ମୂର୍ତ୍ତିକୁ ଉନ୍ମୋଚନ କରିବେ ଏବଂ ଆଳତୀ କରିବେ ପରେ ନିଜ ବାସଭବନକୁ ଆସି ରାତ୍ରୀଯାପନ କରିବ୍ରା କାର୍ଯ୍ୟକ୍ରମ ରହିଛି।