୧୦ରେ ସରୁଛି କାର୍ଯ୍ୟକାଳ, ଶକ୍ତିକାନ୍ତଙ୍କୁ ନେଇ ବଢ଼ିଲା ଚର୍ଚ୍ଚା
ଓଏଲ୍ ବ୍ୟୁରୋ: କିଏ ହେବ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ? ନା ପୁଣିଥରେ ବଢ଼ିବ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। ଏସବୁ ଚର୍ଚ୍ଚା ଏଥିପାଇଁ ଲାଗି ରହିଛି ଯେ ବର୍ତ୍ତମାନର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଡିସେମ୍ବର ୧୦ ତାରିଖରେ ଶେଷ ହେଉଛି। ଏଭଳି ସ୍ଥିତିରେ ଶକ୍ତିକାନ୍ତଙ୍କ ଦ୍ବିତୀୟ କାର୍ଯ୍ୟକାଳର ଶେଷ ମୁଦ୍ରାନୀତି କମିଟି ବୈଠକ ଆଜି ସମାପ୍ତ ହେବ।
ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ହ୍ରାସ ପାଇବା ପରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଉପରେ ଚାପ ବୃଦ୍ଧି ପାଇଛି। ବିଶେଷକରି ଆସନ୍ତା ସପ୍ତାହରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ତେବେ କେନ୍ଦ୍ର ସରକାର ତାଙ୍କୁ ତୃତୀୟ ଥର ପାଇଁ ଗର୍ଭଣ୍ଣର ପଦରେ ଅବସ୍ଥାପିତ କରିବା ଉପରେ ଚିନ୍ତା କରୁଛନ୍ତି ନା ନୂଆ ଚେହେରା କାହାକୁ ଆଣୁଛନ୍ତି ତାକୁ ନେଇ ଲାଗି ରହିଛି ଚର୍ଚ୍ଚା।
ଶ୍ରୀ ଦାସଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଦ୍ବିତୀୟ ତ୍ରୟମାସର ଜିଡିପି କମିବା ପରେ ଶକ୍ତିକାନ୍ତଙ୍କୁ ସରକାର ଅଧିକ ଦିନ ସୁଯୋଗ ଦେବେ କିମ୍ବା ନୂଆ ବ୍ୟକ୍ତିଙ୍କୁ ବସାଇବେ ତାକୁ ନେଇ ଲାଗି ରହିଛି ଚର୍ଚ୍ଚା।
ଆଜି ବସିଥିବା କମିଟି ବୈଠକରେ ସମସ୍ତଙ୍କ ନଜର ରହିଛି। କାରଣ ମୁଦ୍ରାସ୍ଫୀତି ଅକ୍ଟୋବର ମାସରେ ୧୪ ମାସର ସର୍ବୋଚ୍ଚ ସ୍ତର ୬.୨୧ ପ୍ରତିଶତରେ ପହଞ୍ଚିଥିବାବେଳେ ଅଭିବୃଦ୍ଧି ହ୍ରାସ ପାଇଥିବାରୁ କମିଟି ସୁଧ ହାର ସଂପର୍କରେ କେଉଁ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଶକ୍ତିକାନ୍ତ ଦାସ ୨୦୧୮ ମସିହା ଡିସେମ୍ବର ୧୧ ତାରିଖରେ ପ୍ରଥମ ଥର ପାଇଁ ଆରବିଆଇ ଗଭର୍ଣ୍ଣର ହୋଇଥିଲେ। ଏହାପରେ ପୁଣିଥରେ ୨୦୨୧ ଡିସେମ୍ବର ୧୧ ତାରିଖରେ ଶ୍ରୀ ଦାସଙ୍କ କାର୍ଯ୍ୟକାଳକୁ ୩ ବର୍ଷ ବୃଦ୍ଧି କରାଇଥିଲେ କେନ୍ଦ୍ର ସରକାର। ୭ ଦଶନ୍ଧିରେ ଶକ୍ତିକାନ୍ତ ଦାସ ସବୁଠୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଗଭର୍ଣ୍ଣର ପଦବୀ ରହିଛନ୍ତି। ୬ ବର୍ଷ ଗଭର୍ଣ୍ଣର ପଦବୀରେ ରହିଛନ୍ତି ଶକ୍ତିକାନ୍ତ ଦାସ। ତାଙ୍କ ପୂର୍ବରୁ ଗଭର୍ଣ୍ଣର ଭାବେ ବିମଳଜଲଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଗଭର୍ଣ୍ଣର ପଦବୀରେ ରହିଥିଲେ। ସେ ୫ ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ଥିଲେ।