ଆୟ ବହିର୍ଭୂତ ସମ୍ପତ୍ତି ଠାବ, ବନ୍ଧା ହେଲେ ଏସିଏଫ୍ ରେବତୀ ରମଣ

ଓଏଲ୍ ବ୍ୟୁରୋ: ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ ରେବତୀ ରମଣ ଯୋଶୀଙ୍କ ଘରେ ଜୋରଦାର ଚଢାଉ ପରେ ଭିଜିଲାନ୍ସ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ପରେ ରେବତୀ ରମଣ ଯୋଶୀଙ୍କ ପୁଲ ପୁଲ ସମ୍ପତି ଠାବ ହୋଇଛି। ସମ୍ବଲପୁର ଟାଉନରୁ ଏକ ୩ ମହଲା ସମେତ ୩ କୋଠା, ସମ୍ବଲପୁର ଓ ବରଗଡ଼ରେ ୭ଟି ପ୍ଲଟ୍ ଓ ୪ ଫ୍ଲାଟ ମିଳିଛି। ରେଡ୍ ବେଳେ ୧୪.୭୧ ଲକ୍ଷ ନଗଦ କ୍ୟାସ୍ ମିଳିଛି।
ସୂଚନା ଅନୁସାରେ, ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ରେଡ୍ କରାଯାଇଥିଲା। ସମ୍ବଲପୁରର ୭ଟି ଓ ବରଗଡ଼ର ୨ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରାଯାଇଥିଲା। ସମ୍ବଲପୁରରେ ଥିବା ରେବତୀ ରମଣଙ୍କ ଅଫିସ୍, ଡିୟର ପାର୍କ ନିକଟରେ ଥିବା ସରକାରୀ କ୍ବାର୍ଟରେ ରେଡ୍ ହୋଇଥିଲା।
ସମ୍ବଲପୁର ଅଇଁଠାପାଲି ସ୍ଥିତ ତିନି ମହଲା ଘର, ଚର୍ଚ୍ଚ ଛକ ନିକଟରେ ଥିବା ଫ୍ଲାଟରେ ଭିଜିଲାନ୍ସ ଯାଂଚ କରାଯାଇଥିଲା। ବ୍ରଜଧାମ ହାଉସିଂ ସୋସାଇଟିରେ ଥିବା ଘର, ସିଟି ପ୍ରାଇଡ୍ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ମଧ୍ୟ ଚଢାଉ ହୋଇଥିଲା। ସେହିପରି ବରଗଡ଼ ପଦ୍ମପୁରରେ ଥିବା ଘର ଓ ବିଜେପୁର ବଳନ୍ଦାରେ ଥିବା ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା।