ରାହୁଲ ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି, ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
ଓଏଲ୍ ବ୍ୟୁରୋ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମହାରାଷ୍ଟ୍ରର ନୂଆ ବାଚସ୍ପତି ହେଲେ ରାହୁଲ ନର୍ଭେକର। ଅଢ଼େଇ ବର୍ଷ ଧରି ମହାରାଷ୍ଟ୍ରର ୧୪ ତମ ବିଧାନସଭାରେ ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇ ଥିବା ନର୍ଭେକର ମୁମ୍ବାଇର କୋଲାବା ବିଧାନସଭା ଆସନରୁ ପୁନଃ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାଓ୍ୱାରଙ୍କ ସହ ନାର୍ଭେକର ରବିବାର ବିଧାନସଭା ସଚିବ ଜିତେନ୍ଦ୍ର ଭୋଲେଙ୍କ ଠାରେ ନାମାଙ୍କନ ଦାଖଲ କରିଥିଲେ। ତେବେ ମହାବିକାଶ ଅଘାଡି ମେଣ୍ଟ ତରଫରୁ କୌଣସି ବି ବିଧାୟକ ବାଚସ୍ପତି ପଦ ପାଇଁ ନାମାଙ୍କନ ଭରି ନଥିଲେ। କେବଳ ରାହୁଲ ନର୍ଭେକର ହିଁ ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଧାନସଭାରେ ବାଚସ୍ପତି ଭାବରେ ରାହୁଲ ନର୍ଭେକର ନିର୍ବାଚିତ ହୋଇଛନ୍ତି।
ସୂଚନା ଅନୁସାରେ, ରାହୁଲ ନର୍ଭେକର ମହାରାଷ୍ଟ୍ରର କୋଲାବା ବିଧାନସଭା ଆସନରୁ ବିଧାୟକ ଅଛନ୍ତି। ଏହି ବିଧାନସଭା ନିର୍ବାଚନମଣ୍ଡଳୀ ମୁମ୍ବାଇର ଏକ ଅଂଶ। ରାହୁଲ ଏହା ପୂର୍ବରୁ ଶିବସେନାରେ ଥିଲେ, କିନ୍ତୁ ୨୦୧୪ ଲୋକସଭା ନିର୍ବାଚନରେ ତାଙ୍କୁ ଦଳ ଟିକେଟ ଦେଇନଥିଲା। ଏହାପରେ ସେ ଏନସିପିରେ ଯୋଗ ଦେଇଥିଲେ। ତେବେ ତାଙ୍କୁ ଏନସିପି ଟିକେଟ୍ରେ ମାଭଲ ଆସନରୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହାପରେ ବି ସେ ଦଳ ସହ ରହିଥିଲେ।
ଯେଉଁ ଦଳ ପାଖରେ ସଂଖ୍ୟା ଗରିଷ୍ଠତା ଅଧିକ ଥାଏ ସେହି ଦଳରୁ ସର୍ବଦା ବାଚସ୍ପିତ ଚୟନ କରାଯାଏ। ମହାରାଷ୍ଟ୍ର ବିଧାନସଭା ୨୦୨୪ ନିର୍ବାଚନରେ ମହାୟୁତି ମେଣ୍ଟ ପ୍ରଚଣ୍ଡ ବହୁମତ ହାସଲ କରିଛି। ମହାରାଷ୍ଟ୍ରରେ ମହାୟୁତିର ସରକାର ଗଠନ ହୋଇଛି। ଏହି କାରଣରୁ ଏହି ମିଳିତ ମେଣ୍ଟର ନେତାଙ୍କୁ ବାଚସ୍ପତି ଭାବରେ ମନୋନୀତ କରାଯାଇଛି।