ଦିଲ୍ଲୀ ନିର୍ବାଚନ: ବଦଳିଲା ମନୀଷଙ୍କ ଆସନ, ଆପ୍ର ନୂଆ ରଣନୀତି
ଓଏଲ୍ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିନାହିଁ ସରକାରୀ ବିଗୁଲ। ତଥାପି କ୍ଷମତାସୀନ ଆମ୍ ଆଦମୀ ପାର୍ଟି ସରକାର ଆରମ୍ଭ କଲାଣି ପ୍ରସ୍ତୁତି। ଆସନ୍ତାବର୍ଷ ପହିଲାରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟି ଦ୍ବିତୀୟ ପ୍ରାର୍ଥୀପତ୍ର ତାଲିକା ଜାରି କରିଛି। ଏହି ତାଲିକାରେ ୨୦ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ସବୁଠୁ ବଡ଼କଥା ହେଲା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆସନ ବଦଳାଇ ଦେଇଛି। ଆଗାମୀ ନିର୍ବାଚନରେ ସେ ପାଟପଡ଼ଗଞ୍ଜରୁ ପ୍ରାର୍ଥୀ ନହୋଇ ଜଙ୍ଗପୁରା ଆସନରୁ ଲଢ଼େଇ କରିବେ।
ଏଥର ଆପ୍ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସିଟ୍ ବଦଳାଇ ଦିଆଯାଇଛି। ଏଥର ତାଙ୍କୁ ଜଙ୍ଗପୁରାରୁ ଟିକେଟ୍ ମିଳିଛି। ସେହିପରି ନିକଟରେ ଆପ୍ରେ ଯୋଗ ଦେଇଥିବା ଅବଧ ଓଝାଙ୍କୁ ଦଳ ପାଟପଡ଼ଗଞ୍ଜରୁ ମୈଦାନକୁ ଓହ୍ଲାଇଛି।
କୋଚିଂ କ୍ଲାସ ଚଳାଉଥିବା ଚର୍ଚ୍ଚିତ ଶିକ୍ଷକ ଅବଧ ଓଝା ନିକଟରେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥଇଲେ। ତେବେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ସେନେଇ କଳ୍ପନାଜଳ୍ପନା ଚାଲିଥିଲା, କିନ୍ତୁ ବର୍ତ୍ତମାନ ଏହା ଉପରେ ପୂର୍ଣ୍ଣଛେଦ ପଡିଛି। ସେ ମନୀଷ ସିସୋଦିଆଙ୍କ ଆସନ ପାଟପଡଗଞ୍ଜରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସିସୋଦିଆ କ୍ରମାଗତ ତିନିଥର ଏହି ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଗତ ନିର୍ବାଚନରେ ସେ ବହୁତ କମ୍ ଭୋଟ୍ ବ୍ୟବଧାନରେ ଏଠାରୁ ଜିତିଥିଲେ।
ଏହା ବ୍ୟତୀତ ଆପ୍ ନରେଲାରୁ ଦୀନେଶ ଭରଦ୍ୱାଜଙ୍କୁ, ତିମାରପୁରରୁ ସୁରେନ୍ଦ୍ର ପାଲ ସିଂହ ବିଟ୍ଟୁ, ଆଦର୍ଶ ନାଗରରୁ ମୁକେଶ ଗୋୟଲ, ମୁଣ୍ଡକାରୁ ଜସବୀର କର୍ଲା, ମଙ୍ଗୋଲପୁରୀରୁ ରାକେଶ ଜାଟବ ଧର୍ମରକ୍ଷ, ରୋହିଣୀରୁ ପ୍ରଦୀପ ମିତ୍ତଲ ପ୍ରମୁଖଙ୍କୁ ଦଳ ଟିକେଟ୍ ଦେଇଛି।