Odisha Link
Bridging the Missing Links in Odisha

ଡ. ସ୍ନେହପ୍ରଭା ଦାସଙ୍କ ଇଂରାଜୀ ଗଳ୍ପ ସଂକଳନ “ଫଗ୍ ହ୍ବିସ୍ପର୍ସ” ଉନ୍ମୋଚିତ

ଓଏଲ୍‌ ବ୍ୟୁରୋ: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍‌ ଇନ୍‌ ବୁକ୍ସ’ ବହି ପର୍ବରେ ସାମିଲ ହେଲା ଇଂରାଜୀ ପୁସ୍ତକ “ଫଗ୍ ହ୍ବିସ୍ପର୍ସ”। ବିଶିଷ୍ଟ ଲେଖିକା ଡ. ସ୍ନେହପ୍ରଭା ଦାସଙ୍କ ଦ୍ଵାରା ରଚିତ ଇଂରାଜୀ ଗଳ୍ପ ସଂକଳନ “ଫଗ୍ ହ୍ବିସ୍ପର୍ସ” ଷଷ୍ଠ ରାଜ୍ୟ ପୁସ୍ତକ ମହୋତ୍ସବ ପରିସରରେ ଥିବା ପେନ୍‌ ଇନ୍‌ ବୁକ୍ସ ଷ୍ଟଲରେ ଉନ୍ମୋଚିତ ହୋଇଯାଇଛି।

ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ବିଶିଷ୍ଟ କଥାକାର ଡ. ଗୌରହରି ଦାସ, ପ୍ରାକ୍ତନ ଭାରତୀୟ ପ୍ରଶାସନିକ ଅଧିକାରୀ ଓ ବିଶିଷ୍ଟ କବି ପ୍ରଦୀପ ବିଶ୍ବାଳ ଓ ଇଂରାଜୀ ଭାଷା ସାହିତ୍ୟର ଗବେଷକ ଡ. ହିମାଂଶୁ ଶେଖର ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ।

ନିଜ ଲେଖକୀୟ ଅଭିବ୍ୟକ୍ତିରେ ଲେଖିକା ଡ. ଦାସ କହିଥିଲେ ଯେ ଦୀର୍ଘ ଅଧ୍ୟାପନା ଅଭିଜ୍ଞତା ଅବସରରେ ସେ କ୍ରମ-ପରିବର୍ତ୍ତିତ ମଣିଷ ଜୀବନର ମନସ୍ତାତ୍ତ୍ଵିକ ଦିଗଗୁଡ଼ିକର ଅଧ୍ୟୟନ କରିବା ସହିତ ବାହାନଗା ରେଳ ଦୁର୍ଘଟଣା ଭଳି ଛାତିଥରା ଅଘଟଣ ଦ୍ୱାରା ବେଶ୍ ବିଚଳିତ ବୋଧ କରନ୍ତି, ଯାହା ତାଙ୍କ ଲେଖାର ଆଧାର। ସେହିପରି ସମ୍ମାନିତ ଅତିଥି କବି ପ୍ରଦୀପ ବିଶ୍ଵାଳ ଅନୁବାଦ ମାଧ୍ୟମରେ ବୃହତ୍ତର ପାଠକବର୍ଗଙ୍କ ନିକଟରେ ଓଡ଼ିଆ ଲେଖକଙ୍କ କୃତି ପହଞ୍ଚିପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଇଂରାଜୀ ସାହିତ୍ୟର ପ୍ରାକ୍ତନ ପ୍ରଫେସର ଡ. ହିମାଂଶୁ ଶେଖର ମହାପାତ୍ର ଉନ୍ମୋଚିତ ଗଲ୍ପ ପୁସ୍ତକଟିର ସମୀକ୍ଷା କରିଥିଲେ ଓ ସ୍ନେହଲତା ଦାସଙ୍କ ଗଳ୍ପରେ କିପରି ସମସାମୟିକ ବିଶ୍ଵ ଚଳଚ୍ଚିତ୍ରର ଆବେଗ ପାଠକ ଅନୁଭବ କରିବେ ବୋଲି ଆଶା ପ୍ରକାଶ କରିଥିଲେI

ମୁଖ୍ୟ ଅତିଥି ବିଶିଷ୍ଟ କଥାକାର ଡ. ଗୌରହରି ଦାସ ତାଙ୍କ ବକ୍ତବ୍ୟରେ, ମଞ୍ଚ ମାୟାରୁ ଯଥେଷ୍ଟ ଦୂରତା ବଜାୟ ରଖି ଲେଖିକା କିପରି ଓଡ଼ିଆ ଭାଷାରେ ରଚିତ କାଳଜୟୀ ରଚନାଗୁଡ଼ିକର ଇଂରାଜୀ ଅନୁବାଦ କରିବା ସହିତ ମୌଳିକ ଗଳ୍ପ ଓ କବିତା ରଚନା ମାଧ୍ୟମରେ ସାମଗ୍ରିକ ଭାବରେ ସାହିତ୍ୟର ସେବାରେ ସମର୍ପିତା, ତାହା ଉପରେ ଆଲୋକପାତ କରିବା ସହ ପେନ ଇନ ବୁକ୍ସ ଦ୍ୱାରା ପ୍ରକାଶିତ ବହିଗୁଡ଼ିକ ପ୍ରଚ୍ଛଦ, ବିଷୟବସ୍ତୁ ଓ ସ୍ଥାପତ୍ୟ ଦୃଷ୍ଟିରୁ ପ୍ରମୁଖ ଭାରତୀୟ ପ୍ରକାଶନ ସଂସ୍ଥାମାନଙ୍କ ଭଳି ସଂଭ୍ରାନ୍ତ ଓ ପରିଚ୍ଛନ୍ନ ବୋଲି ମତବ୍ୟକ୍ତ କରିଥିଲେ।

ବିଶିଷ୍ଟ କବି ପବିତ୍ର ମୋହନ କର ମଞ୍ଚ ପରିଚାଳନା ସହିତ ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ପ୍ରଦାନ କରିଥିଲେ।ପ୍ରତ୍ୟହ ପେନ୍‌ ଇନ୍‌ ବୁକ୍ସ ଷ୍ଟଲ ପରିସରରେ ଥିବା ସ୍ବତନ୍ତ୍ର ସାହିତ୍ୟ ମଞ୍ଚରେ ଏକାଧିକ ନୂଆ ପୁସ୍ତକ ଉନ୍ମୋଚନ କରାଯିବା ସହ ଲେଖକଙ୍କ ସହ ଭାବବିନିମୟ କାର୍ଯ୍ୟକ୍ରମ ଓ ସାହିତ୍ୟ ଆଲୋଚନା ଅନୁଷ୍ଠିତ ହେଉଛି।

Leave A Reply

Your email address will not be published.