କ’ଣ ହେବ ଇଣ୍ଡିଆ ମେଣ୍ଟର ଭବିଷ୍ୟତ? ମମତାଙ୍କ ସମର୍ଥନରେ ଉଦ୍ଧବ, ଲାଲୁ ଯାଦବ
ଓଏଲ୍ ବ୍ୟୁରୋ: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଇଣ୍ଡିଆ ମେଣ୍ଟରେ ଫାଟ। ଇଣ୍ଡିଆ ମେଣ୍ଟର ଜଣେ ପରେ ଜଣେ ସଦସ୍ୟ ଗଠବନ୍ଧନର ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି। ଉଦ୍ଧବ ଠାକରେଙ୍କ ପରେ ଲାଲୁ ଯାଦବ ଗଠବନ୍ଧନର ନେତୃତ୍ବ ରାହୁଲ ଗାନ୍ଧିଙ୍କ ବଦଳରେ ମମତା ବାନାର୍ଜୀଙ୍କ ମିଳୁ ବୋଲି ଦାବି କରିଛନ୍ତି।
ଇଣ୍ଡିଆ ମେଣ୍ଟ ନେତୃତ୍ୱକୁ ନେଇ ଚାଲିଥିବା ଟଣାଓଟରା ଭିତରେ ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବଡ଼ ବୟାନ ଦେଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇଣ୍ଡିଆ ମେଣ୍ଟର ନେତା ଭାବରେ ଚୟନ କରବାକୁ ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ କରୁଥିବା ବିରୋଧର କୌଣସି ଅର୍ଥ ହିଁ ନାହିଁ। ମମତାଙ୍କୁ ହିଁ ଇଣ୍ଡିଆ ମେଣ୍ଟର ନେତା କରାଯିବା ଉଚିତ୍।
ଏହି ସମୟ ମଧ୍ୟରେ ବିହାରରେ ହେବାକୁ ଥିବା ଆଗାମୀ ନିର୍ବାଚନରେ ତାଙ୍କ ଦଳ କ୍ଷମତାକୁ ଆସିବ ବୋଲି ଲାଲୁ ଯାଦବ ଦୃଢ଼ୋକ୍ତି ଦେଖାଇଛନ୍ତି। ଲାଲୁ ଯାଦବ ଦାବି କରିଛନ୍ତି ଯେ ତାଙ୍କ ଦଳ ୨୦୨୫ରେ ବିହାରରେ ସରକାର ଗଠନ କରିବାକୁ ଯାଉଛି। ନୀତୀଶ କୁମାରଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ ଆସନ୍ତା ବର୍ଷ ବିହାରରେ ଆରଜେଡି ସରକାର ଗଠନ ହେବାକୁ ଯାଉଛି।
ସବୁଠୁ ବଡ଼କଥା ହେଲା ଲାଲୁ ଯାଦବ ଏଭଳି ପ୍ରତିକ୍ରିୟା ସେତେବେଳେ ରଖିଛନ୍ତି ଯେତେବଳେ ତେଜସ୍ବୀ ଯାଦବ କୋଲକାତାରେ ରହିଛନ୍ତି। ସୂଚନାଥାଉକି, ଲୋକସଭା ନିର୍ବାଚନ ଓ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିରୋଧୀଙ୍କ ପରାଜୟ ହୋଇ ହୋଇଛି। ଏହାପରେ ଇଣ୍ଡିଆ ମେଣ୍ଟର ଦାୟିତ୍ୱ କଂଗ୍ରେସ ଠାରୁ କାଢ଼ି ଆଣି ତ୍ରୁଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଦେବା ପାଇଁ ଦାବି ଜୋର୍ ଧରିଛି।