ଧାରଣାରେ ମିଶନ ଶକ୍ତି ମହିଳା, ବିଜେପିକୁ ଟାର୍ଗେଟ କଲେ ବିଜେଡି ସୁପ୍ରିମୋ
ଓଏଲ୍ ବ୍ୟୁରୋ: ବଦଳିଛି ସରକାର, ସରୁନି ଆନ୍ଦୋଳନ। ରାଜ୍ୟରେ ଶାସନଭାର ସମ୍ଭାଳୁଛି ବିଜେପି ସରକାର। ନୂଆ ସରକାର ଲୋକ ମାନଙ୍କ ନୂଆ ଆଶା ହୋଇଥିବାବେଳେ ବିଭିନ୍ନ ଅଭିଯୋଗ ପୁଣି ମୁଣ୍ଡ ଟେକିଲାଣି। କିଛି ଦିନର ବିରତି ପରେ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ। ୯ ମାସ ହେଲା ଦରମା ପାଇନଥିବା ଅଭିଯୋଗରେ ରାଜରାସ୍ତାରେ ହଜାର ହଜାର ମହିଳାଙ୍କ ବିକ୍ଷୋଭ ପ୍ରସଙ୍ଗ ଗୃହରେ ହଂଗାମା ସୃଷ୍ଟି କରିଛି। ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର ମହିଳାଙ୍କ ପାଇଁ ଆଜି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ହଟ୍ଟଗୋଳ କାରଣରୁ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଛି।
ମିଶନ ଶକ୍ତି ମହିଳାଙ୍କ ଧାରଣାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ବିଜେପି ସରକାର ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛି। ଏହାକୁ ବିଜେଡି ଦୃଢ ନିନ୍ଦା କରୁଛି। ୭୦ ଲକ୍ଷରୁ ଅଧିକ ମହିଳା ମିଶନ ଶକ୍ତିରେ କାମ କରୁଛନ୍ତି। ବିଜେଡି ସବୁବେଳେ ମିଶନ ଶକ୍ତି ସହ ରହିଅଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି।