ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ: ଆନ୍ଦୋଳନକାରୀ ମିଶନ ଶକ୍ତି ମହିଳା ନୁହଁନ୍ତି, କମ୍ୟୁନିଟି ଷ୍ଟାଫ୍
ଓଏଲ୍ ବ୍ୟୁରୋ: ବଦଳିଛି ସରକାର, ସରୁନି ଆନ୍ଦୋଳନ। ରାଜ୍ୟରେ ଶାସନଭାର ସମ୍ଭାଳୁଛି ବିଜେପି ସରକାର। ନୂଆ ସରକାର ଲୋକ ମାନଙ୍କ ନୂଆ ଆଶା ହୋଇଥିବାବେଳେ ବିଭିନ୍ନ ଅଭିଯୋଗ ପୁଣି ମୁଣ୍ଡ ଟେକିଲାଣି। କିଛି ଦିନର ବିରତି ପରେ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ। ୯ ମାସ ହେଲା ଦରମା ପାଇନଥିବା ଅଭିଯୋଗରେ ରାଜରାସ୍ତାରେ ହଜାର ହଜାର ମହିଳାଙ୍କ ବିକ୍ଷୋଭ ପ୍ରସଙ୍ଗ ଗୃହରେ ହଂଗାମା ସୃଷ୍ଟି କରିଛି।
ଶୀତ ଅଧିବେଶନ ଜାରି ରହିଥିବାବେଳେ ମିଶନ ଶକ୍ତି ମହିଳାଙ୍କ ବିକ୍ଷୋଭକୁ ନେଇ ଗୃହରେ ହଟ୍ଟଗୋଳ ଦେଖା ଦେଇଛି। ଆଜି ବିଧାନସଭାରେ ମୁଲତବି ପ୍ରସ୍ତାବ ଆଣିଲା ବିଜେଡି। ମିଶନ ଶକ୍ତିକୁ ଶକ୍ତିହୀନ କରିବାକୁ ଉଦ୍ୟମ ହେଉଛି। ମହିଳା ସଶକ୍ତିକରଣ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ବିଜେଡି କହିଥିବାବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଡା ଜବାବ ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସରକାର ମୁକ ବସିବା ମିଛ। ସଚିବ, ରାଜ୍ୟ କମିଶନ ସମସ୍ତେ ଭେଟିଛନ୍ତି। ଆନ୍ଦୋଳନରୁ ଉଠିଯିବେ ବୋଲି କହିଲେ, କିନ୍ତୁ ଉଠିଲେ ନାହିଁ। ସରକାର ପଦକ୍ଷେପ ନେବେ, କାହା କଥାରେ ରାସ୍ତାରେ ଗଡ଼ନ୍ତୁ ନାହିଁ।ଯେଉଁମାନେ ଆନ୍ଦୋଳନରେ ବସିଛନ୍ତି, ସେମାନେ ମିଶନ ଶକ୍ତି ମହିଳା ନୁହନ୍ତି। ସେମାନେ ମିଶନ ଶକ୍ତିର କମ୍ୟୁନିଟି ଷ୍ଟାଫ୍।ଯେଉଁମାନଙ୍କର ୫ ବର୍ଷର ଅବଧି ସରିଛି, ଦରମା ପାଇସାରିଛନ୍ତି। ଯେଉଁମାନଙ୍କର ୫ ବର୍ଷ ପୁରାଣ ହୋଇନାହିଁ। ଦରମା ପାଇଁ ନଭେମ୍ବର ୪ରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।