ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ସ୍ଵତନ୍ତ୍ର ବାଟାଲିୟନ, ୧୭ରୁ ରତ୍ନଭଣ୍ଡାର ମରାମତି
ଓଏଲ୍ ବ୍ୟୁରୋ: ଚଳିତମାସ ୧୭ ତାରିଖରୁ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗର ଉଚ୍ଚସ୍ତରୀୟ ବିଶେଷଜ୍ଞଙ୍କ ଦ୍ବାରା ଏହି ମରାମତି କାର୍ଯ୍ୟ ହେବ। ଏହି ସମୟରେ ବାହାରକାଠରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଗତକାଲି (ବୁଧବାର) ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏ ସମ୍ପର୍କିତ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଛି। ସୁରକ୍ଷା ଓ ଭିଡ଼କୁ ନଜରରେ ଖୁବଶୀଘ୍ର ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବାଟାଲିୟନ ନିଯୁକ୍ତ ହେବେ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ତଦାରଖ ପାଇଁ ପୁଲିସ ବିଭାଗରୁ ସୁରକ୍ଷାକର୍ମୀଙ୍କୁ ନିଆଯିବ। ଖୁବଶୀଘ୍ର JTP ନିଯୁକ୍ତ ହେବେ।ବାଟାଲିୟନରେ ଯେତିକି ସୁରକ୍ଷାକର୍ମୀ ଓ ପୁଲିସ ରହୁନ୍ତି ସେତିକି ରହିବେ। ଶ୍ରୀମନ୍ଦିର ଆଭ୍ୟନ୍ତରୀଣ ଏବଂ ବାହାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।