ଶୂନ୍ୟକାଳରେ ଉଠିଲା ୱାଲଟେଅର ଡିଭିଜନ ପ୍ରସଙ୍ଗ: ଶାସକ ଓ ବିରୋଧୀ ସଦସ୍ୟ ମୁହାଁମୁହିଁ
ଓଏଲ୍ ବ୍ୟୁରୋ: ବିଧାନସଭାରେ ୱାଲଟେଅର ଡିଭିଜନକୁ ନେଇ ଶୂନ୍ୟକାଳରେ ଶାସକ ଓ ବିରୋଧୀ ସଦସ୍ୟ ମୁହାଁମୁହିଁ ହୋଇଛନ୍ତି। ଶୂନ୍ୟକାଳରେ ପ୍ରସଙ୍ଗ ଉତ୍ଥାପନ କରି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ଯେ, ୱାଲଟେଅର ଡିଭିଜନ ବିଜୟୱାଡ଼ାକୁ ନେଇଯିବାକୁ ଷଡ଼ଯନ୍ତ୍ର କରାଯାଉଛି। ୱାଲଟେଅର ଡିଭିଜନରୁ ୨୦ ହଜାର କୋଟି ଟଙ୍କା ରାଜସ୍ଵ ମିଳୁଛି। କିନ୍ତୁ ବର୍ତ୍ତମାନ୍ ଏହାକୁ ଦକ୍ଷିଣ କେନ୍ଦ୍ର ଡିଭିଜନ ସହ ମିଶେଇବାକୁ ଉଦ୍ୟମ କରାଯାଉଛି। ୱାଲଟେଅର ଡିଭିଜନ ଉଠିଗଲେ ଓଡ଼ିଶା ୨୦ ହଜାର କୋଟି ଟଙ୍କା କ୍ଷତି ସହିବ। ଓଡ଼ିଶା ସ୍ୱାର୍ଥ ଦୃଷ୍ଟିକୋଣରୁ ପଦକ୍ଷେପ ନିଆଯାଉ। ଓଡ଼ିଶା ବିରୁଦ୍ଧରେ ଷଡ଼ଯନ୍ତ୍ର କରାଯାଉଛି। ଏହି ଷଡ଼ଯନ୍ତ୍ରକୁ ବରଦାସ୍ତ କରାଯିବନାହିଁ।
ଗୃହରେ ବିବୃତି ରଖି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, ଓଡ଼ିଶାରୁ ଇଞ୍ଚେ ବି ରେଳ ଲାଇନ ଅନ୍ୟ ରାଜ୍ୟକୁ ଯିବନି। ଓଡ଼ିଶାରେ ରେଳ ବିକାଶ ପାଇଁ ୨୩ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି। ରାୟଗଡାରେ ସ୍ବତନ୍ତ୍ର ଡିଭିଜନ ପ୍ରତିଷ୍ଠା ପାଇଁ ୧୦୭ କୋଟି ଟଙ୍କା ଟେଣ୍ଡର ହୋଇଛି। ମାତ୍ର ଉପା ସରକାର ସମୟରେ ଦକ୍ଷିଣ ରେଳ ଡିଭିଜନ ପ୍ରତିଷ୍ଠା ହେଲା ବେଳେ କଣ ପାଇଁ ବିଜେଡି ସାଂସଦ ଚୁପ୍ ରହିଥିଲେ। ବିରୋଧ କଲେ ନାହିଁ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ୱାଲଟେଅର ଡିଭିଜନ ପାଇଁ ଓଡ଼ିଶାକୁ ୧୦ ହଜାର କୋଟି ଟଙ୍କା ରାଜସ୍ଵ ମିଳୁଛି। ଓଡ଼ିଶାରୁ ଯାଇଥିଲେ ବି ଓଡ଼ିଶାର ସ୍ବାର୍ଥକୁ ରେଳମନ୍ତ୍ରୀ ଦେଖୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଉପରୋକ୍ତ ବିଷୟକୁ ନେଇ ଉଭୟ ଶାସକ ଓ ବିରୋଧି ଦଳର ଅନେକ ସଦସ୍ୟ ନିଜ ନିଜର ମତ ରଖିଛନ୍ତି।