Odisha Link
Bridging the Missing Links in Odisha

ସର୍ବକନିଷ୍ଠ ବିଶ୍ବ ଚେସ୍‌ ବିଜେତା: ୧୧ ବର୍ଷରେ ସ୍ବପ୍ନ ଦେଖିଥିଲେ ୧୮ ବର୍ଷରେ ପୂରଣ କଲେ

ଓଏଲ୍‌ ବ୍ୟୁରୋ: ଚେସ୍‌ ଜଗତରେ ଚହଳ ପକାଇଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ। ଚେସ୍‌ର ନୂଆ ବିଶ୍ୱ ଚାମ୍ପିୟନ ହୋଇଛନ୍ତି ୧୮ ବର୍ଷୀୟ ଡି ଗୁକେଶ। ବିଶ୍ୱ ଚେସ୍ ଚାମ୍ପିୟନସିପ୍ ଟାଇଟଲ ହାସଲ କରିବାରେ ସେ ହେଉଛନ୍ତି ସର୍ବକନିଷ୍ଠ। ସିଙ୍ଗାପୁରରେ ଚାଲିଥିବା ବିଶ୍ୱ ଚେସ୍ ଚାମ୍ପିୟନସିପର ନିର୍ଣ୍ଣାୟକ ମ୍ୟାଚର ୧୪ତମ ବାଜିରେ ସେ ଚୀନ୍‌ର ଡିଫେଣ୍ଡିଂ ଚାମ୍ପିୟନ୍ ଡିଙ୍ଗ୍ ଲିରେନଙ୍କୁ ପରାସ୍ତ କରିଛନ୍ତି। ଏହା ସହିତ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଚେସରେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି ଗୁକେଶ।

ମାତ୍ର ୧୧ ବର୍ଷ ବୟସରେ ସେ ବିଶ୍ଵର ସର୍ବ କନିଷ୍ଠ ଚେସ ଚାମ୍ପିଅନ ହେବାର ସ୍ବପ୍ନ ଦେଖିଥିଲେ। ସ୍ବପ୍ନ ଦେଖାର ଠିକ ସାତ ବର୍ଷ ପରେ ମାତ୍ର ୧୮ ବର୍ଷ ବୟସରେ ଭାରତର ଡି. ଗୁକେଶ ସର୍ବ କନିଷ୍ଠ ବିଶ୍ଵ ଚମ୍ପିୟାନ ହୋଇ ଚେସରେ ଭାରତର ନାମକୁ ସ୍ୱର୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି।

ସିଙ୍ଗାପୁରରେ ଗତ ତିନି ସପ୍ତାହ ଧରି ଚାଲିଥିବା ଲଢେଇରେ ସେ ତାଙ୍କର ଚୀନ ପ୍ରତିପକ୍ଷ ଡିଂ ଲିରେନ୍ ଙ୍କୁ ପରାସ୍ତ କରି ବିଶ୍ଵ ଚମ୍ପିୟାନ ହୋଇଛନ୍ତି। ସେ ୭.୫- ୬.୫ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ଗୁରୁବାର ଖେଳା ଯାଇଥିବା ଶେଷ ଗେମ୍ ୫୮ ମୂଭ ଏବଂ ଚାରି ଘଣ୍ଟା ବିଶିଷ୍ଟ ଥିଲା ଏବଂ ସେ ଏଥିରେ ବିଜୟ ଲାଭ କରିଥିଲେ।

୧୮୮୬ ଆରମ୍ଭ ହୋଇଥିବା ଏହି ବିଶ୍ଵ ଚାମ୍ପିଅନସିପର ସେ ହେଉଛନ୍ତି ୧୮ ତମ ବିଜେତା। ପୂର୍ବରୁ ବବି ଫିଶର, ଗ୍ୟାରି କାସ୍ପରୋଭ, ବିଶ୍ଵନଥାନ ଆନନ୍ଦଙ୍କ ପରି ଖେଳାଳୀ ବିଶ୍ଵ ଚମ୍ପିୟାନ ହୋଇଥିଲେ ବି କେହି ନିଜର ଟିନ ଏଜ୍ ରେ ଏହି ସଫଳତା ପାଇ ପାରି ନଥିଲେ। ଭାରତ ପାଇଁ ବିଶ୍ବନଥାନ ଆନନ୍ଦ ପାଞ୍ଚ ଥର ବିଶ୍ଵ ଚମ୍ପିୟାନ ହୋଇଥିଲେ। ସେ ଶେଷ ଥର ୨୦୧୩ ରେ ଏହି ମୁକୁଟ ପାଇଥିଲେ।

ଏହା ପୂର୍ବରୁ ଗୁକେଶ୍ ସର୍ବ କନିଷ୍ଠ ଖେଳାଳି ଭାବେ ବିଶ୍ଵ କ୍ୟାଡେଟ ଚେସ ଚାମ୍ପିଅନସିପ ଜିତିଥିବା ବେଳେ ୩୬ ବର୍ଷ ଧରି ଭାରତର ଏକ ନମ୍ବର ଚେସ ଖେଳାଳିର ମାନ୍ୟତା ପାଇଥିବା ବିଶ୍ଵନଥାନ ଆନନ୍ଦଙ୍କଠାରୁ ତାଙ୍କର ଶୀର୍ଷ ସ୍ଥାନ ଛଡାଇ ନେଇଥିଲେ। ବିଶ୍ବ ବିଜୟ ହେବା ପରେ ଡି ଗୁକେଶ କହିଛନ୍ତି, ମ୍ୟାଚ୍‌ ପୂର୍ବ ରାତିରେ ଶୋଇପାରି ନଥିଲି। ‌ଗେମ୍ ବରାବର ସ୍ଥିତିକୁ ଯାଉଥିଲା। ହେଲେ ଡିଙ୍ଗ ୫୫ ମୁଭ୍‌ରେ ଭୁଲ୍‌ କରିଦେଇଥିଲେ। ମୁଁ ଟିକେ ଆବାକ୍‌ ହୋଇଯାଇଥିଲି। କାରଣ ସେ ପର୍ଯ୍ୟନ୍ତ ବିଜୟ ଆଶା କରି ନଥିଲି। କିନ୍ତୁ ଏହି ସୁଯୋଗ ଦେଖି ଆଗକୁ ବଢ଼ିଥିଲି। ପ୍ରକୃତରେ ଡିଙ୍ଗ ବିଶ୍ବ ବିଜେତା, ଡିଙ୍ଗ୍‌ ଓ ତାଙ୍କ ଟିମ୍‌ ନିକଟରେ କ୍ଷମା ମାଗୁଛି। ଏଥି ସହ ଭଲ ମ୍ୟାଚ୍‌ ହୋଇଥିବାରୁ ବିପକ୍ଷଙ୍କୁ ଧନ୍ୟବାଦ ଦେଉଛି। ଏହି ମୁହୂର୍ତ୍ତ ଗତ ଦଶ ବର୍ଷର ସ୍ବପ୍ନ ଭଳି ଥିଲା। ମୁଁ ବହୁତ ଖୁସି ‌‌ଯେ ଏହି ସ୍ବପ୍ନ ପୂରଣ କରିଛି। ଏହା ମୋ ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ।

ବିଶ୍ବ ଚେସ ଚାମ୍ପିଅନସିପ ଜିତିବା କ୍ରିକେଟ ବିଶ୍ୱକପ୍ ଜିତିବାଠୁ ବି ଅଧିକ କଷ୍ଟକର କାରଣ ପ୍ରଥମ ରୁ ହିଁ ଏ ଖେଳରେ ଚୀନ ଆମେରିକା ଏବଂ ଋଷିଆର ଆଧିପତ୍ୟ ରହି ଆସିଛି। କାରଣ ପ୍ରାୟ ୧୫୦ ବର୍ଷର ଇତିହାସ ରେ ମାତ୍ର ୧୮ ଜଣ ଏହି ଗୌରବ ହାସଲ କରିଛନ୍ତି ଅର୍ଥାତ୍ ଜଣେ ଜଣେ ଏକାଦିକ୍ରମେ ଦଶ ବାର ବର୍ଷ ନିଜର ଆଧିପତ୍ୟ ବଜାୟ ରଖନ୍ତି। ଏବଂ ଥରେ ଜିତିଲା ପରେ ତାଙ୍କୁ ସେ ସ୍ଥାନରୁ ହଟାଇବା କଷ୍ଟକର ହୋଇ ପଡେ।

ସର୍ବକନିଷ୍ଠ ବିଶ୍ବ ଚେସ୍‌ ବିଜେତା ତାଲିକା:
ଡି ଗୁକେଶ: ୧୮ ବର୍ଷ ୮ ମାସ ୧୪ ଦିନ
ଗାରି କାସ୍ପାରୋଭ: ୨୨ ବର୍ଷ ୬ ମାସ ୨୭ ଦିନ
ମାଗ୍ନସ କାର୍ଲସେନ: ୨୨ ବର୍ଷ ୧୧ ମାସ ୨୪ ଦିନ
ମିଖାଇଲ ତାଲ: ୨୩ ବର୍ଷ ୫ ମାସ ୨୮ ଦିନ
ଆନାତୋଲି କାର୍ପୋଭ: ୨୩ ବର୍ଷ ୧୦ ମାସ ୧୧ ଦିନ
ଭ୍ଲାଦିମିର କ୍ରାମନିକ୍: ୨୫ ବର୍ଷ ୪ ମାସ ୧୦ ଦିନ
ଏମାନୁଏଲ ଲସ୍କର: ୨୫ ବର୍ଷ ୫ ମାସ ୨ ଦିନ

Leave A Reply

Your email address will not be published.