ଅଡ଼ୁଆରେ ବିଜେଡି ସାଂସଦ, କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲା ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ
ଓଏଲ୍ ବ୍ୟୁରୋ: ଆହେ ଦୟାମୟ ବିଶ୍ବବିହାରୀ ପ୍ରାର୍ଥନାକୁ ନେଇ ଅଡୁଆରେ ବିଜେଡି ସାଂସଦ ମୁନ୍ନା ଖାଁ। ଆହେ ଦୟାମୟ ବିଶ୍ବବିହାରୀ ପ୍ରାର୍ଥନାକୁ ବିଜେଡି ସାଂସଦ ମୁନ୍ନା ଖାଁ କଦର୍ଥ କରିଥିବା ଅଭିଯୋଗ ହୋଇଛି। ଆହେ ଦୟା ମୟ ବିଶ୍ୱବିହାରୀ’ର କଦର୍ଥ ବାଖ୍ୟା କରିବା ତଥା ଏହାର ରଚୟିତା ରାମକୃଷ୍ଣ ନନ୍ଦଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ ନାଁରେ ଥାନାରେ ଏତଲା ହୋଇଛି। କଟକ ଜିଲ୍ଲା ଓଲଟପୁର ଥାନାରେ ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ ପକ୍ଷରୁ ଏତଲା ଦିଆଯାଇଛି। ଅଭିଯୋଗ ପରେ ସାଂସଦ କ୍ଷମା ପ୍ରାର୍ଥନା କରିଥିଲେ। ହେଲେ ସେଥିରେ ସନ୍ତୁଷ୍ଟ ନାହାନ୍ତି ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସାଂସଦ ପଦ ରଦ୍ଦ କରିବାକୁ ଦାବି କରିଛି ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ।
ପ୍ରାର୍ଥନାର ସ୍ରଷ୍ଟା ରାମକୃଷ୍ଣ ନନ୍ଦଙ୍କ ବୋହୂ ଅନୁସୂୟା ନନ୍ଦ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଅନୁସୂୟା ନନ୍ଦ କହିଛନ୍ତି, ମୁନ୍ନା ଖାଁଙ୍କ ମନ୍ତବ୍ୟ କୁଠାରଘାତ କରିଛି। ସେ ଓଡ଼ିଆ ଭାଷା, ଓଡ଼ିଆ ଜାତି, ଓଡ଼ିଆ ସାହିତ୍ୟ ଓ ହିନ୍ଦୁ ଧର୍ମକୁ ଅପମାନ କରିଛନ୍ତି। ତାଙ୍କୁ ଏପରି କହିବା ପାଇଁ କିଏ ଅଧିକାର ଦେଲା? ତାଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିବ। ଶିଶୁ ସାହିତ୍ୟକ ଭାବେ ଅନେକ ସୁନାମ ଅର୍ଜନ କରିଛନ୍ତି ରାମକୃଷ୍ଣ ନନ୍ଦ। ତାଙ୍କ ଦ୍ବାରା ଲେଖା ଯାଇଥିବା ପ୍ରାର୍ଥନା ରାଜ୍ୟର ପ୍ରତ୍ୟେକ ସ୍କୁଲରେ ବୋଲା ଯାଉଛି। ଏଭଳି ମନ୍ତବ୍ୟ ପାଇଁ ମୁନ୍ନା ଖାଁଙ୍କୁ କ୍ଷମା ମାଗିବାକୁ ପଡ଼ିବ ବୋଲି ଅନୁସୂୟା ନନ୍ଦ କହିଛନ୍ତି।