Odisha Link
Bridging the Missing Links in Odisha

୧୭ରେ ରତ୍ନଭଣ୍ଡାର ମରାମତି, ବାହାର କାଠ ନିକଟରୁ ଜଗା ଦର୍ଶନ କରିବେ ଭକ୍ତ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ନିଷ୍ପତି ଆନୁସାରେ ଆଗାମୀ ୧୭ ତାରିଖ ଠାରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ। ଏଏସଆଇ ପକ୍ଷରୁ ଏହି ମରାମତି କାମ ହେବାକୁ ଥିବା ବେଳେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସମସ୍ତ କାର୍ଯ୍ୟ କରାଯିବା ନେଇ ନିଷ୍ପତି ନିଆଯାଇଅଛି। ଏ ନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପୁରୀ ଏସପି, ASI ଅଧିକାରୀଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ।

ରତ୍ନଭଣ୍ଡାର ମରାମତି ସମୟରେ ଡାକ୍ତରୀ ଟିମ, ଅଗ୍ନିଶମ କର୍ମଚାରୀ, ପୁଲିସ ମୁତୟନ ନେଇ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା। ଦ୍ଵିତୀୟ ଭୋଗ ମଣ୍ଡପ ନୀତି ପରେ ଭଣ୍ଡାର ଘର ମରାମତି ନେଇ ପ୍ରାୟ ୫ଘଣ୍ଟା ସମୟ ମିଳିବାକୁ ଥିବା ବେଳେ ଏହି ସମୟ ମଧ୍ୟରେ ରତ୍ନଭଣ୍ଡାର ମରାମତି କରାଯିବ। ତେବେ ମରାମତି ସମୟରେ ବାହାର କାଠ ନିକଟରୁ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଶୃଙ୍ଖଳିତ ଦର୍ଶନ କରିପାରିବେ।

ମରାମତି ସମୟରେ ଶୃଙ୍ଖଳିତ ଦର୍ଶନ ଦିଗରେ ଆଜି ବୈଠକରେ ଆଲୋଚନା କରାଯାଇଥିଲା। ବ୍ୟାପକ ପୁଲିସ ମୃତୟନ ହେବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ଓ ଶ୍ରୀଜିଉଙ୍କ ନୀତି କାନ୍ତିରେ ଯେଭଳି ସମସ୍ୟା ନଉପୁଜିବ ସେ ନେଇ ତର୍ଜମା କରାଯାଇଥିଲା। ତେବେ ଶ୍ରୀମନ୍ଦିରରେ ଦ୍ୱାର ଫିଟା ନୀତି ଠାରୁ ଦ୍ୱାର ବନ୍ଦ ନୀତି ପର୍ଯ୍ୟନ୍ତ ଶୃଙ୍ଖଳା ରଖିବା ସହିତ ମରାମତି କାର୍ଯ୍ୟ ଓ ଭକ୍ତଙ୍କ ଦର୍ଶନ ସୁରୁଖୁରୁରୁରେ କରିବା ନେଇ ଆଜି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଅଛି।

Leave A Reply

Your email address will not be published.