କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ପାଇଲେ ଅକ୍ଷୟ ଉପନ୍ୟାସ ପୁରସ୍କାର ୨୦୨୪
ହିଞ୍ଜଡ଼ା ବା ଟ୍ରାନ୍ସଜେଣ୍ଡର ସଂପ୍ରଦାୟର ପୀଡ଼ା ଓ ଜୀବନସଂଘର୍ଷକୁ ନେଇ ରଚିତ ଉପନ୍ୟାସ 'ଇତର'
ଭୁବନେଶ୍ବର: ପ୍ରାପ୍ତିର ଉତ୍ତର ଦେବା ସହଜ, ଦାୟିତ୍ବର ନୁହେଁ। ପୁରସ୍କାର ମୋ ପାଇଁ ପ୍ରାପ୍ତି ନୁହେଁ, ବରଂ ଏକ ଗୁରୁ ଦାୟିତ୍ବ ବୋଲି କହିଛନ୍ତି ଜଣାଶୁଣା କଥାକାର ଶୁଭ୍ରାଂଶୁ ପଣ୍ଡା। ନିଜର ଉପନ୍ୟାସ ‘ଇତର’ ନିମନ୍ତେ ଚତୁର୍ଥ ଅକ୍ଷୟ ଉପନ୍ୟାସ ପୁରସ୍କାର ଗ୍ରହଣ କରିବା ଅବସରରେ ସେ କହିଛନ୍ତି ଯେ ଏ ଦାୟିତ୍ବ ଓଡ଼ିଆ ସାହିତ୍ୟ ପ୍ରତି ଅଧିକ ଅନୁରକ୍ତ ଓ ଦାୟବଦ୍ଧ ହେବାର।। ଏ ଦାୟିତ୍ବ ଭବିଷ୍ୟତରେ ଉପନ୍ୟାସ ଲେଖିବା ବେଳେ ଅଧିକ ଯତ୍ନବାନ ହେବାର, ଯେଭଳି ପାଠକଟିଏ ପ୍ରଶ୍ନ ନ କରୁ ଯେ ଅକ୍ଷୟ ଉପନ୍ୟାସ ପୁରସ୍କାର ପାଇଥିବା ଲେଖକଟି ଏମିତି ଏକ ଉପନ୍ୟାସ ଲେଖିଛି? ଏଣୁ ପୁରସ୍କାର ଗ୍ରହଣ କରିବା ବେଳକୁ ମୁଁ ଯେତିକି ଆନନ୍ଦ ପାଉଛି, ମୋର ଲେଖାଲେଖିର ଭବିଷ୍ୟତକୁ ନେଇ ସେତିକି ଚିନ୍ତିତ ମଧ୍ୟ ହୋଇପଡ଼ୁଛି ବୋଲି ସେ କହିଥିଲେ।
ସୋମବାର ସଂଧ୍ୟାରେ ପ୍ରତିଭା ରାୟ ଫାଉଣ୍ତେସନ୍ ଟ୍ରଷ୍ଟ୍ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ଶ୍ରୀ ପଣ୍ଡା ନିଜ ବକ୍ତବ୍ୟରେ କହିଛନ୍ତି ଯେ କୌଣସି ପୁସ୍ତକ ସିଧାସଳଖ ପରିବର୍ତ୍ତନ ଆଣିପାରେ ନାହିଁ। ତେବେ ପୁସ୍ତକ ପରିବର୍ତ୍ତନର ପ୍ରବାହକୁ ପ୍ରଚୋଦିତ କରିବ ଗୋଟିଏ ଉତ୍ପ୍ରେରକ ବା କାଟାଲିଷ୍ଟ୍ ଭାବରେ, ଏ ବିଶ୍ବାସ ମୋର ଅଛି। ହାରିଏଟ ବିଚର୍ ଷ୍ଟୋ’ଙ୍କର ‘ଅଙ୍କଲ ଟମ୍ସ କେବିନ୍’ର ଉଦାହରଣ ଦେଇ ସେ କହିଥିଲେ ଯେ ମୁଁ ଷ୍ଟୋ’ ନୁହେଁ। ମୋର ଏ ପୁସ୍ତକକୁ ନେଇ ସ୍ବପ୍ନ ଅତି ଛୋଟ। ସେମାନଙ୍କୁ ତୃତୀୟଲିଙ୍ଗୀ, ଇତର ବୋଲି କହି ଏଡ଼ାଇଯାଉଥିବା ସମାଜ ମୋର ଉପନ୍ୟାସ ପଢ଼ି ଯଦି ସେମାନଙ୍କ ପ୍ରତି ନିଜର ମନୋଭାବ ବଦଳାଇବ, ତାହା ହିଁ ହେବ ମୋ ଉପନ୍ୟାସ ଲେଖାର ସାର୍ଥକତା। ସେ କହିଥିଲେ ଯେ ଆଜି ଏ ପୁରସ୍କାର ଗ୍ରହଣ କଲାବେଳେ ମୁଁ ସେଇ ତୃତୀୟଲିଙ୍ଗୀ ମଣିଷମାନଙ୍କୁ ମନେପକାଉଛି ଏବଂ ଏ ପୁରସ୍କାର ସେଇମାନଙ୍କୁ ଉତ୍ସର୍ଗ କରୁଛି, ଯେଉଁମାନେ ନିଜର ପୀଡ଼ା ଓ ସଂଘର୍ଷକୁ ମୋ ଆଗରେ ବଖାଣିଛନ୍ତି।
ପ୍ରସିଦ୍ଧ କଥାଶିଳ୍ପୀ ପଦ୍ବଭୂଷଣ ଡ. ପ୍ରତିଭା ରାୟଙ୍କ ପ୍ରତିଷ୍ଠିତ ଏହି ପୁରସ୍କାର ୨୦୨୧ ମସିହାଠାରୁ ପ୍ରତିବର୍ଷ ୫୦ ବର୍ଷରୁ କମ ବୟସର ଜଣେ ଓଡ଼ିଆ ଔପନ୍ୟାସିକଙ୍କୁ ଦିଆଯାଇ ଆସୁଛି। ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ପୁରସ୍କାର ପ୍ରଦାନ ସଭାରେ ପୁରସ୍କାର ସ୍ବରୂପ ଶ୍ରୀ ପଣ୍ଡାଙ୍କୁ ମାନପତ୍ର, ଉପଢୌକନ ଓ ୫୧,୦୦୦ ଟଙ୍କା ପ୍ରଦାନ କରାଯାଇଛି। ଉତ୍ସବରେ ଡ. ରାୟ ଅଧ୍ୟକ୍ଷତା କରିଥିବାବେଳେ ବିଶିଷ୍ଟ ଲେଖକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ ପ୍ରଫେସର ପ୍ରଫୁଲ୍ଳ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବରିଷ୍ଠ କଥାଶିଳ୍ପୀ ଦେବପ୍ରସାଦ ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଫାଉଣ୍ଡେସନ୍ର ମ୍ୟାନେଜିଂ ଟ୍ରଷ୍ଟୀ ଆଦ୍ୟାଶା ଦାସ ଓ ମୁଖ୍ୟ ଉପଦେଷ୍ଟା ପ୍ରଫେସର ବସନ୍ତ କୁମାର ପଣ୍ଡା ମଧ୍ୟ ମଞ୍ଚାସୀନ ଥିଲେ।
ଇତର ଉପନ୍ୟାସ ଓଡ଼ିଶାରେ ହିଞ୍ଜଡ଼ା ବା ଟ୍ରାନ୍ସଓମେନ୍ମାନଙ୍କର ଜୀବନ ଯାତ୍ରା ସମ୍ପର୍କରେ ଲିଖିତ। ମୁଖ୍ୟଚରିତ୍ର ଗୋବିନ୍ଦର କାହାଣୀ ଭିିତରେ ଶହଶହ ହିଞ୍ଜଡ଼ାଙ୍କ ଦୁଃସ୍ଥିତି କଥା ଲେଖକ ବଖାଣିଛନ୍ତି। ‘ଇତର’ ହେଉଛି ତୃତୀୟଲିଙ୍ଗୀ ମଣିଷଙ୍କ ସଂଘର୍ଷ ଉପରେ; ଲିଖିତ ପ୍ରଥମ ଓଡ଼ିଆ ଉପନ୍ୟାସ ଯାହା ୨୦୨୧ ମସିହାରେ ପ୍ରକାଶ ପାଇଥିଲା। ଏହା ପୂର୍ବରୁ ଧର୍ମାନ୍ତରୀକରଣ ପ୍ରସଙ୍ଗରେ ଲିଖିତ ଶୁଭ୍ରାଂଶୁଙ୍କର ପ୍ରଥମ ଉପନ୍ୟାସ ‘ସୁସମାଚାର’ (୨୦୧୨) ଓ ନବଶିଳ୍ପାୟନ ଉପରେ ଲିଖିତ ‘ଶିଳ୍ପ ଭାଗବତ’ (୨୦୧୪) ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥିଲା। ସୁସମାଚାର ହେଉଛି ଏଭାଞ୍ଜେଲିଜମ୍ ବା ଖ୍ରୀଷ୍ଟିଆନ୍ ଧର୍ମପ୍ରଚାର ସମ୍ବନ୍ଧିତ ପ୍ରଥମ ଭାରତୀୟ ଉପନ୍ୟାସ। ସତ୍ୟ ଘଟଣା, ଗବେଷଣାଲବ୍ଧ ତଥ୍ୟକୁ ନେଇ ପ୍ରସଙ୍ଗ ଭିତ୍ତିକ ଉପନ୍ୟାସ ଲେଖୁଥିବା ଶୁଭ୍ରାଂଶୁ ପଣ୍ଡାଙ୍କର ତିନୋଟି ଉପନ୍ୟାସ ଓ ଦୁଇଟି ଗଳ୍ପ ସଂକଳନ ସମେତ ମୋଟ ୧୦ଟି ପୁସ୍ତକ ପ୍ରକାଶ ପାଇଛି।
ଆଜି ପୁରସ୍କାର ଉତ୍ସବ ଅବସରରେ ‘ଇତର’ ଉପନ୍ୟାସର ତୃତୀୟ ସଂସ୍କରଣ ବଜାରକୁ ଆସିଛି। ଉତ୍ସବରେ ବହୁ ସଂଖ୍ୟାରେ ଲେଖକ, ପାଠକ, ଶୁଭେଚ୍ଛୁ ଓ ପ୍ରଶଂସକଙ୍କ ସମେତ ଟ୍ରାନ୍ସଜେଣ୍ଡର ସମୁଦାୟର ପ୍ରତିନିଧି ମଧ୍ୟ ଉପସ୍ଥତି ଥିଲେ।