Odisha Link
Bridging the Missing Links in Odisha

ଓଡ଼ିଶା ଭିଜନ ୨୦୩୬: ମତ ରଖିଲେ ଲକ୍ଷାଧିକ ନାଗରିକ, ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଗଠନ ହେବ। ଆଉ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନରେ ଓଡ଼ିଶାର ଅବଦାନ ମହତ୍ୱପୂର୍ଣ୍ଣ ରହିବ। ଏହାକୁ ଦୃଷ୍ଟିରେ ରଖି ଗଠନ ହୋଇଥିବା ୱେବପୋର୍ଟାଲରେ ଆସିଲା ମତାମତ। ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ପାଇଁ ଆସିଲା ମତାମତ। ଇମେଲ୍, ହ୍ୱାଟସଆପ୍ ଏବଂ ୱେବସାଇଟ୍ ଜରିଆରେ ମତ ରଖିଛନ୍ତି ପ୍ରାୟ ୩ ଲକ୍ଷରୁ ଅଧିକ ନାଗରିକ। ଏନେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଓଡ଼ିଶା ପ୍ରଦେଶ ଗଠନର ୧୦୦ବର୍ଷ ପୂର୍ତ୍ତି ଅର୍ଥାତ୍ ୨୦୩୬ ମସିହା ବେଳକୁ ଓଡ଼ିଶା କିଭଳି ସମୃଦ୍ଧ ରାଜ୍ୟରେ ପରିଣତ ହେବ ସେନେଇ ରାଜ୍ୟର ମୋହନ ମାଝୀ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଭିଜନ ଡକ୍ୟୁମେଂଟ ପ୍ରସ୍ତୁତି ନିମନ୍ତେ ସାଧାରଣ ଲୋକଙ୍କଠୁ ମତାମତ ଓ ପରାମର୍ଶ ଲୋଡ଼ିଥିଲେ ରାଜ୍ୟ ସରକାର।

ସୂଚନା ଅନୁସାରେ, ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ପାଇଁ ୱେବପୋର୍ଟାଲକୁ ଉନ୍ମୋଚନ କରି ରାଜ୍ୟବାସୀଙ୍କଠୁ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆବଶ୍ୟକ ସୁଚିନ୍ତିତ ମତାମତ ହ୍ୱାଟସଅପ୍ ନମ୍ବର ଓ ଇମେଲ୍ ମାଧ୍ୟମରେ ପଠାଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ୱାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିକଶିତ ଓଡିଶା ଗଠନ ପାଇଁ ଆମେ ଯେଉଁ ଭିଜନ୍ ଡକୁମେଣ୍ଟ ପ୍ରସ୍ତୁତ କରିବାକୁ ଯାଉଛୁ, ତାହା ଲୋକଙ୍କ ମତାମତ ଆଧାରରେ ହିଁ ପ୍ରସ୍ତୁତ ହେବ। ଏହା କେବଳ ଏକ ସରକାରୀ ଦସ୍ତାବିଜ ହେବ ନାହିଁ, ବରଂ ଓଡିଶାର ଜନସାଧାରଣଙ୍କ ଦ୍ୱାରା, ଜନସାଧାରଣଙ୍କ ପାଇଁ ପ୍ରସ୍ତୁତ ଏପରି ଏକ ଦସ୍ତାବିଜ ହେବ ଯାହା ଜନସାଧାରଣଙ୍କ ଆକାଂକ୍ଷାର ପ୍ରକୃତ ପ୍ରତିଫଳନ ହେବ।

ଏହି ଭିଜନ ଡକୁମେଣ୍ଟ ପ୍ରସ୍ତୁତି ପାଇଁ ସମାଜର ବିଶିଷ୍ଟ ନାଗରିକ, ବିଭିନ୍ନ ନାଗରିକ ସଂଗଠନ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ନୀତି ନିର୍ଦ୍ଧାରକ, ପ୍ରବାସୀ ଓଡ଼ିଆ, ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠିତ ନେତୃବୃନ୍ଦଙ୍କ ସମେତ ସାଧାରଣ ଜନତା ମତାମତ ଦେଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା କମିଟି ଏବଂ ୬ଟି ସଚିବସ୍ତରୀୟ କମିଟି ଗଠନ କରାଯାଇଛି।

୨୦୪୭ ମସିହାରେ ଭାରତ ବର୍ଷ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ପାଳନ କରିବ। ଏହା ପୂର୍ବରୁ ୨୦୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ କରିବ। ୨୦୩୬ ସୁଦ୍ଧା ଓଡିଶା ଏକ ୫୦୦ ବିଲିଅନ୍ ଡଲାର ଅର୍ଥନୀତିରେ ପରିଣତ ହେବାର ଲକ୍ଷ୍ୟ ରଖାଯାଇଛି। ଏହା ସହିତ ୨୦୪୭ ସୁଦ୍ଧା ଆମେ ୧.୫ ଟ୍ରିଲିଅନ୍ ଅର୍ଥନୀତି ହେବାର ଲକ୍ଷ୍ୟ ମଧ୍ୟ ରଖିଛୁ ବୋଲି ଶ୍ରୀ ମାଝୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ, ବିଶ୍ୱଗୁରୁ ହେବାର ରାସ୍ତାରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି ବୋଲି ସେ କହିଥିଲେ।

Leave A Reply

Your email address will not be published.