Odisha Link
Bridging the Missing Links in Odisha

ଚର୍ଚ୍ଚାରେ ପ୍ରିୟଙ୍କା ଗାନ୍ଧିଙ୍କ ବ୍ୟାଗ୍

ଓଏଲ୍‌ ବ୍ୟୁରୋ: ରାଜନୈତିକ ଖୋରାକ ଯୋଗାଉଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିକୁ ନେଇ ପୁଣି ଚର୍ଚ୍ଚା। ଏଥର କୌଣସି ରାଜନୈତିକ ମତ ନୁହେଁ ବରଂ ତାଙ୍କ ବ୍ୟାଗ ଆରମ୍ଭ କରିଛି ରାଜନୈତିକ ବୟାନବାଜି। କେରଳର ୱାୟନାଡରୁ ଜିତି ପ୍ରଥମ ଥର ପାଇଁ ସଂସଦକୁ ଯାଇଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଏବେ ନିଜ ‘ପାଲେଷ୍ଟାଇନ୍’ ବ୍ୟାଗକୁ ନେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି। ସୋମବାର ସେ ‘ପାଲେଷ୍ଟାଇନ୍’ ଶବ୍ଦ ଲେଖା ହୋଇଥିବା ଏକ ବ୍ୟାଗ୍ ଧରି ସଂସଦ ଭବନରେ ପହଞ୍ଚିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ପ୍ରିୟଙ୍କା କାନ୍ଧରେ ପକାଇଥିବା ଏହି ବ୍ୟାଗର ଉପରେ ଲେଖା ହୋଇଛି ‘ପାଲେଷ୍ଟାଇନ୍’। ଏହି ସହିତ ବ୍ୟାଗ୍ ଉପରେ ଶାନ୍ତିର ପ୍ରତୀକ ଏକ ଧଳା କପୋତର ଚିତ୍ର ମଧ୍ୟ ଅଙ୍କାହୋଇଛି। ଏହାପୂର୍ବରୁ ପ୍ରିୟଙ୍କା ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୌତମ ଆଦାନୀଙ୍କ ନାମରେ ସ୍ଲୋଗାନ୍ ଲେଖା ହୋଇଥିବା ଏକ ବ୍ୟାଗ୍ ଧରି ସଂସଦକୁ ଆସିଥିଲେ। ସେତେବେଳେ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ବର୍ତ୍ତମାନ ପ୍ରିୟଙ୍କାଙ୍କର ଏହି ‘ପାଲେଷ୍ଟାଇନ୍’ ବ୍ୟାଗକୁ ନେଇ ମଧ୍ୟ ରାଜନୈତିକ ବିବାଦ ସୃଷ୍ଟି ହୋଇଛି।

ବିଜେପି ନେତାମାନେ ପ୍ରିୟଙ୍କାଙ୍କୁ ଟାର୍ଗେଟ୍ କରିବା ସହ ସଂଖ୍ୟାଲଘୁ ତୁଷ୍ଟୀକରଣର ଅଭିଯୋଗ ଲଗାଇଛନ୍ତି। ଯଦିଓ ଏହା ପୂର୍ବରୁ ପ୍ରିୟଙ୍କା ଗାନ୍ଧି ଗତ ଜୁଲାଇ ଏବଂ ଅକ୍ଟୋବରରେ ପାଲେଷ୍ଟାଇନର ସମର୍ଥନରେ ଟ୍ୱିଟ୍ କରିଥିଲେ। ସେ ସାଂସଦ ହେବା ପରେ ଭାରତରେ ପାଲେଷ୍ଟାଇନ ରାଷ୍ଟ୍ରଦୂତଙ୍କୁ ମଧ୍ୟ ଭେଟିଥିଲେ। ପାଲେଷ୍ଟାଇନ୍ ରାଷ୍ଟ୍ରଦୂତ ୱାୟନାଡ ନିର୍ବାଚନରେ ବିଜୟ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Leave A Reply

Your email address will not be published.