ବଡ଼ ଖବର: ବଡ଼ଦିନରେ ମିଳିବନି ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା
ଓଏଲ୍ ବ୍ୟୁରୋ: ଆସନ୍ତା ଡିସେମ୍ବର ୨୫ ତାରିଖ ଅର୍ଥାତ୍ ବଡ଼ଦିନରେ ‘ସୁଭଦ୍ରା’ ଯୋଜନାରେ ଚତୁର୍ଥ ପର୍ଯ୍ୟାୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ମିଳିବ ବୋଲି କୁହାଯାଉଥିବାବେଳେ ଏବେ ମିଳିବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ମିଳିବାକୁ ଥିବା ଟଙ୍କାକୁ ସ୍ଥଗିତ ରଖାଯାଇଛି। ବାୟୋ ମେଟ୍ରିକ ଓ ଇ-କେୱାଇସି ଯାଞ୍ଚ କରାଇବାକୁ ଉପମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ ଚତୁର୍ଥ ପର୍ଯ୍ୟାୟରେ ମିଳିବାକୁ ଥିବା ଟଙ୍କାକୁ ସ୍ଥଗିତ ରଖାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନା ଅନୁସାରେ, ପୂର୍ବରୁ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ କେଉଁ କାରଣ ଯୋଗୁଁ ସେମାନଙ୍କର ଅର୍ଥ ଅନଲାଇନ୍ ଯୋଗେ ପ୍ରେରଣ ହୋଇପାରିନାହିଁ, ସେ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। ହିତାଧିକାରୀଙ୍କୁ ସିଧାସଳଖ ଅର୍ଥ ପ୍ରେରଣରେ ରହୁଥିବା ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଅଙ୍ଗନବାଡ଼ି କର୍ମଚାରୀ ଓ ବ୍ୟାଙ୍କମିତ୍ର ଆଦି କ୍ଷେତ୍ରସ୍ତରୀୟ ଯାଞ୍ଚ ଟିମର କର୍ମକର୍ତ୍ତାଙ୍କୁ ସେମାନଙ୍କ ପାଖରେ ପହଞ୍ଚି ସଚେତନତାଭିତ୍ତିକ କାର୍ଯ୍ୟକ୍ରମ ବଢ଼ାଇବାକୁ ନିର୍ଦେଶ ଦିଆଯାଇଛି। ବିଭିନ୍ନ ଜିଲାରେ କାର୍ଯ୍ୟକାରୀ ହେଉଥିବା ସହାୟତା କେନ୍ଦ୍ରର ପରିଚାଳନା ପାଇଁ କର୍ମଚାରୀ ନିୟୋଜନକୁ ନିଶ୍ଚିତ କରିବାକୁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି।
ସୁଭଦ୍ରା ସମ୍ପର୍କିତ ଆପତ୍ତି ଅଭିଯୋଗ ସିଧାସଳଖ ବା ଅଫଲାଇନ୍ରେ ଗ୍ରହଣ କରାଗଲେ ତାହାକୁ ସୁଭଦ୍ରା ପୋର୍ଟାଲରେ ଅପଲୋଡ କରାଯିବ। ଗତ ୧ ତାରିଖ ସୁଦ୍ଧା ‘ସୁଭଦ୍ରା’ରେ ମୋଟ୍ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଆବେଦନ ଗ୍ରହଣ ହୋଇଛି। ତୃତୀୟ ପର୍ଯ୍ୟାୟ ସୁଦ୍ଧା ୮୦ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବାବଦରେ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ନୂଆ ଆବେଦନକାରୀଙ୍କ ସମେତ ଅଦ୍ୟାବଧି ସହାୟତା ପାଇନଥିବା ଦରଖାସ୍ତକାରୀଙ୍କ ଆବେଦନ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ନିର୍ଦେଶ ଦିଆଯାଇଛି।