Odisha Link
Bridging the Missing Links in Odisha

ଏକକ ନିର୍ବାଚନ ବିଲ୍ ପୁନଃ ଆଗତ, ଦିନ ୩ଟା ଯାଏଁ ଲୋକସଭା ମୁଲତବୀ

ଓଏଲ୍‌ ବ୍ୟୁରୋ: ଲୋକସଭାରେ ଆଗତ ହୋଇଛି ‘ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଲ୍‌’। ଆଜି ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଲ୍‌ ଭାବେ ଜଣାଶୁଣା ୧୨୯ତମ ସମ୍ବିଧାନ ସଂଶୋଧନ ବିଧେୟକକୁ ଆଗତ କରିଛନ୍ତିି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଧେୟକ ଆଗତ ପରେ ଏହା ଉପରେ ବିତର୍କ ଜାରି ରହିଛି। ଏଥିସହିତ ଭୋଟ ମଧ୍ୟ ହୋଇଛି।

ଏକକ ନିର୍ବାଚନକୁ ବିଲ୍‌କୁ ନେଇ ଲୋକସଭାରେ ଭୋଟିଂ ହୋଇଛି। ଭାରତର ଇତିହାସରେ ପ୍ରଥମ ଥର ପାଇଁ ସଂସଦରେ ଇଭିଏମ୍‌ରେ ଭୋଟିଂ ହୋଇଛି। ମୋଟ ଭୋଟ ୩୬୯ ହୋଇଥିବା ବେଳେ ବିଲ୍‌ ସପକ୍ଷରେ ୨୨୦ ଓ ବିପକ୍ଷରେ ୧୪୯ ଭୋଟ୍‌ ହୋଇଛି। ଭୋଟିଂ ପରେ ଏକକ ନିର୍ବାଚନ ବିଲ୍ ପୁନଃ ଆଗତ ହୋଇଛି। ବିଲ୍ ଆଗତ ପରେ ଦିନ ୩ଟା ଯାଏଁ ଲୋକସଭା ମୁଲତବୀ ରଖାଯାଇଛି।

ଅନ୍ୟପଟେ, ବିଲ୍‌କୁ ଅସାମ୍ବିଧାନିକ କହି ତୀବ୍ର ବିରୋଧ କରି ତୁରନ୍ତୁ ଏହାକୁ ପ୍ରତ୍ୟାହାର କରିନେବାକୁ ଦାବି କରିଛି କଂଗ୍ରେସ। ଏଥିସହ ସମାଜବାଦୀ ପାର୍ଟି, ଟିଏମସି, ଡିଏମକେ ଆଦି ଦଳ ପକ୍ଷରୁ ମଧ୍ୟ ଏହାକୁ ବିରୋଧ କରାଯାଇଛି। ଅପରପକ୍ଷେ, ଟିଡିପି ଏବଂ ଜେଡି(ୟୁ) ପକ୍ଷରୁ ବିଧେୟକକୁ ସମର୍ଥନପୂର୍ବକ ବିତର୍କ ଜାରି ରହିଛି।

ତେବେ ଏହି ବିଲ୍‌ ସଂସଦରେ ଉପସ୍ଥାପନ ହୋଇଥିବା ବେଳେ ଏହାର ଅନୁମୋଦନ ନେଇ ସନ୍ଦେହ ରହିଛି। କାରଣ ବିଲ୍‌ ଉପରେ ତର୍ଜମା କରିବା ଲାଗି ଏହାକୁ ସଂସଦର ଯୁଗ୍ମ କମିଟିକୁ ପଠାଯାଇପାରେ। କମିଟି ରିପୋର୍ଟ ଆସିଲା ବେଳକୁ ଶୀତ ଅଧିବେଶନ କାର୍ଯ୍ୟକାଳ ଶେଷ ହୋଇଯିବାର ଆଶଙ୍କା ରହିଛି।

ଏକ ରାଷ୍ଟ୍ର, ଏକ ନିର୍ବାଚନ ନେଇ ଗତ ୨୦୨୩ ସେପ୍ଟେମ୍ବର ୨ରେ ଗଠିତ ହୋଇଥିଲା କମିଟି। କମିଟିରେ ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସର ଲୋକସଭା ନେତା ଅଧୀର ରଞ୍ଜନ ଚୌଧୁରୀ, ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ୧୫ତମ ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ଏନକେ ସିଂହ, ଲୋକସଭାର ପୂର୍ବତନ ସେକ୍ରେଟାରୀ ଜେନାରାଲ ସୁଭାଷ ସିଂ କଶ୍ୟପ୍, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଓ ଭିଜିଲାନ୍ସ କମିଶନର ପୂର୍ବତନ ମୁଖ୍ୟ ସଞ୍ଜୟ କୋଠାରୀଙ୍କୁ ସଦସ୍ୟ ଭାବେ ସ୍ଥାନ ପାଇଥିଲେ ।

Leave A Reply

Your email address will not be published.