Odisha Link
Bridging the Missing Links in Odisha

ତାଙ୍କ ଦଳ ଭାଙ୍ଗିବ, ଆମେ କ’ଣ କରିବୁ: ମନମୋହନ ସାମଲ

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର ଶାସନ ଗାଦିରୁ ହଟିବା ପରେ ବିଜେଡିର ସ୍ଥିତି କ’ଣ ? ଜଣଙ୍କ ପରେ ଜଣେ ରାଜ୍ୟସଭା ସାଂସଦ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ପରେ ବିଜେଡିର ଭବିଷ୍ୟତ ରାଜନୈତିକ କାର୍ଯ୍ୟପନ୍ଥା କ’ଣ ହେବ ସେନେଇ ନାନା କଳ୍ପନାଜଳ୍ପନା ଲାଗି ରହିଛି। ଏସବୁ ମଧ୍ୟରେ ବିଜେଡିକୁ ବୁଷ୍ଟର ଡୋଜ ଦେବାକୁ ଚେଷ୍ଟା କରିଛନ୍ତି ବିଜେଡିର ୭ ରାଜ୍ୟସଭା ସାଂସଦ। ଦିଲ୍ଲୀରେ ଏକାଠି ହେଲେ ବିଜେଡିର ୭ ସାଂସଦ। ଏକାଠି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସହିତ ଅଛୁ, ଶେଷ ନିଶ୍ବାସ ପର୍ଯ୍ୟନ୍ତ ରହିବୁ ବୋଲି କହିଛନ୍ତି। ଅନ୍ୟପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀ ପ୍ରସଙ୍ଗରେ ଦେଇଛନ୍ତି ବଡ଼ ବୟାନ।

ଦିଲ୍ଲୀରେ ବିଜେଡିର ୭ ରାଜ୍ୟସଭା ସାଂସଦଙ୍କ ସାମ୍ବାଦିକ ସମ୍ମିଳନୀ ପ୍ରସଙ୍ଗରେ ରାଜ୍ୟ ବିଜେପି ମୁଖିଆ ମନମୋହନ ସାମଲ କହିଛନ୍ତି, ନିଜ ଉପରେ ବିଶ୍ବାସ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ନିଜର ଅପପ୍ରଚାର କରୁଛନ୍ତି। ବିଜେଡି ସଙ୍ଗଠନ ଉପରେ ସାଂସଦ, ବିଧାୟକଙ୍କ ଭରସା ଦରକାର। ବିଶ୍ବାସ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ତାଙ୍କ ଦଳ ଭାଙ୍ଗିବ ଆମେ କ’ଣ କରିବୁ ବୋଲି କହିଛନ୍ତି ମନମୋହନ ସାମଲ। ଏଥିସହିତ ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନି କହି ତାତ୍ସଲ୍ୟ କରିଛନ୍ତି ଶ୍ରୀ ସାମଲ।

ନିକଟରେ ବିଜେଡିର ୭ ରାଜ୍ୟସଭା ସାଂସଦ ଉପରାଷ୍ଟ୍ରପତିଙ୍କୁ ଭେଟିଥିଲେ। ଯାହାକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଛି। ଯାହାଫଳରେ ଉପରାଷ୍ଟ୍ରପତିଙ୍କୁ ଭେଟିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେଡିର ୭ ରାଜ୍ୟସଭା ସାଂସଦ। ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟର ସ୍ବାର୍ଥ ପାଇଁ ଉପରାଷ୍ଟ୍ରପତିଙ୍କୁ ଭେଟିଥିଲୁ। କିନ୍ତୁ ଆମକୁ ନେଇ କିଛି ଗଣମାଧ୍ୟମରେ ଭୁଲ ଖବର ପ୍ରସାରଣ କରାଯାଉଛି। ସେହିପରି ସୁଲତା ଦେଓ କହିଛନ୍ତି, ଆମେ ଏକ ଥିଲୁ ଆଗକୁ ମଧ୍ୟ ରହିବୁ। ଆମେ ସପ୍ତର୍ଷି ମଣ୍ଡଳ ହେଲେ ନବୀନ ପଟ୍ଟନାୟକ ହେଉଛନ୍ତି ଧ୍ରୁବ ତାରା।

ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ ଆମେ କେହି ବିଜେଡି ଛାଡ଼ିବାର ନାହିଁ। ସେହିପରି ମାନସ ମଙ୍ଗରାଜ କହିଛନ୍ତି କେତେକ ଗଣମାଧ୍ୟମ ଭୁଲ ଖବର ପ୍ରସାରଣ କରିଛନ୍ତି। ବିଜେଡି ସାଂସଦ ବିଜେପିରେ ମିଶିବା ଖବର ପ୍ରସାରଣ ହୋଇଥିଲା। ମନଗଢା ଖବର ପ୍ରସାରଣରୁ ନିବୃତ୍ତ ରହିବାକୁ ମଧ୍ୟ ଅପିଲ୍ କରିଛନ୍ତି। ବିଜେଡି ସାଂସଦ ଏପରି କହିବା ସହ ହଜାର କୋଟିର ମାନହାନୀ ମକଦ୍ଦମା ଚେତାବନୀ ଦେଇଛନ୍ତି ନିରଞ୍ଜନ ବିଶି।

ସୂଚନାଥାଉକି, ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ କଂଗ୍ରେସ ସମର୍ଥନରେ ବିରୋଧୀ ଦଳର ଏମ୍‌ପିମାନେ ଅନାସ୍ଥା ଆଣିବାକୁ ଘୋଷଣା କରି ଏନେଇ ନୋଟିସ୍‌ ମଧ୍ୟ ଦେଇସାରିଛନ୍ତି। ହେଲେ ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ସମର୍ଥନ କରିବ ନାହିଁ ବୋଲି ନିରଞ୍ଜନ ଗଣମାଧ୍ୟମକୁ ଖୋଲାଖୋଲି ଜଣାଇ ଦେଇଛନ୍ତି। ଅର୍ଥାତ୍‌ ନିରଞ୍ଜନଙ୍କ କହିବାନୁଯାୟୀ, ବିଜେଡି ପୁନର୍ବାର ପୂର୍ବଭଳି କେନ୍ଦ୍ରରେ ବିଜେପିକୁ ସମର୍ଥନ କରିବ। ନିରଞ୍ଜନଙ୍କ ଏଭଳି ମତ ଶୁଣିବା ପରେ ବିଜେଡି ଏଯାଏ ବି ବିଜେପିକୁ କେନ୍ଦ୍ରରେ ସମର୍ଥନ କରୁଥିବା ଏକ ପ୍ରକାର ସ୍ପଷ୍ଟ ହେଉଛି। ଯାହାକୁ ନେଇ ବିଜେଡିରେ ନାନା ଚର୍ଚ୍ଚା, ଆଲୋଚନା ଲାଗି ରହିଥିଲା। କର୍ମୀଙ୍କୁ ବୁଷ୍ଟର ଡୋଜ ଦେବାକୁ ଆଜି ବିଜେଡିର ୭ ସାଂସଦ ଏକାଠି ହୋଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।

Leave A Reply

Your email address will not be published.