ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ଶେଷ ହେଲା କାଠପୂଜା
ଓଏଲ୍ ବ୍ୟୁରୋ: ୨୦୨୫ ଜୁନ ୨୭ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁରୀରୁ ଆଜ୍ଞାମାଳ ଆସିବା ପରେ ନୟାଗଡ଼ ଜିଲା ଗଣିଆ ବ୍ଲକ ବଡ଼ମୂଳ ଗ୍ରାମରେ ବିଜେ କରିଥିବା ପ୍ରସିଦ୍ଧ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ଶ୍ରୀମନ୍ଦିରର ବିଧି ବ୍ୟବସ୍ଥା ଅନୁଯାୟୀ ଆନୁଷ୍ଠାନିକ ଭାବେ ହୋମ ଓ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ଅବସରରେ ୮୧୪ ଅଶନ, ଧଉରା, ଫାଶି ଏବଂ ଶିମିଳିକାଠ ପୁରୀକୁ ପଠାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ସୂଚନା ଯୋଗ୍ୟ, ଶ୍ରୀମନ୍ଦିରରୁ ଏକ ୫ଜଣିଆ ପ୍ରତିନିଧି ଦଳ ଶ୍ରୀଜୀଉଙ୍କ ଠାରୁ ମହାର୍ଦ, ଆଜ୍ଞାମାଳ, ପାଟପତନି, ଖଣ୍ଡୁଆପାଟ, ମହାପ୍ରସାଦ, ଫୁଲମାଳ, ଧୂପ, ଦୀପ ଏବଂ ନଡ଼ିଆ ଇତ୍ୟାଦି ଧରି ନୟାଗଡ଼ରେ ପହଞ୍ଚିବା ପରେ ମଙ୍ଗଳବାର ପାରମ୍ପାରିକ ପ୍ରଥା ଅନୁଯାୟୀ ମହାନଦୀ ବନ୍ୟପ୍ରାଣୀ ଡ଼ିଭିଜନ ଅଞ୍ଚଳରେ ଥିବା ବେଠିଆସାହି ଗ୍ରାମର ଜଗନ୍ନାଥ ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା।
ପରବର୍ତ୍ତୀ ସମୟରେ, ନିକଟବର୍ତ୍ତୀ ବଡ଼ମୂଳ ଗ୍ରାମରେ ବିଜେ କରିଥିବା ପ୍ରସିଦ୍ଧ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ଶ୍ରୀମନ୍ଦିରର ବିଧି ବ୍ୟବସ୍ଥା ଅନୁଯାୟୀ ଆନୁଷ୍ଠାନିକ ଭାବେ ହୋମ ଓ ପୂଜା କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ପୁରୀରେ ଚଳିତ ଚର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ନିମନ୍ତେ ତିନି ରଥ ନିର୍ମାଣ କରାଯିବା ପାଇଁ ନୟାଗଡ଼ରୁ ୮୧୪ଖଣ୍ଡ ଅଶନ,ଧଉରା,ଫାଶି ଏବଂ ଶିମିଳି କାଠ ପଠାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୟାଗଡ଼ ଡ଼ିଏଫଓଙ୍କୁ ନିର୍ଦେଶ ଦେଇଛନ୍ତି।
ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ, ମା ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ନିର୍ମାଣ ନିମନ୍ତେ ସମୁଦାୟ ୮୬୫ ଖଣ୍ଡ ବିଭିନ୍ନ ପ୍ରକାର ଜଠର ଆବଶ୍ୟକତା ପଡ଼ିଥାଏ। ଗତ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୫୧ଖଣ୍ଡ ଚଳକା କାଠ ରହିଥିବାରୁ ଆସନ୍ତା ବର୍ଷ ରଥନିର୍ମାଣ ପାଇଁ ଅବଶିଷ୍ଟ ୮୧୪ଖଣ୍ଡ କାଠର ଆବଶ୍ୟକତା ରହିଛି ବୋଲି ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି।