Odisha Link
Bridging the Missing Links in Odisha

ଅଡ଼ୁଆରେ ୨୦ରୁ ଅଧିକ ସାଂସଦ, ନୋଟିସ୍‌ ପଠାଇଲା ବିଜେପି

ଓଏଲ୍‌ ବ୍ୟୁରୋ: ଏକକ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଛନ୍ତି କେନ୍ଦ୍ର ସରକାର। ମଙ୍ଗଳବାର ଲୋକସଭାରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଲ୍‌ ଆଗତ ହୋଇଥିଲା। ସଂସଦରେ ପ୍ରଥମଥର ପାଇଁ ଇଲେକ୍‌ଟ୍ରୋନିକ ଭୋଟିଂ ମେସିନରେ ଭୋଟ୍‌ ଦେଇଥିଲେ ସଦସ୍ୟ। ତେବେ ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ଭୋଟ୍‌ ପଡ଼ିବାରୁ ବିଲ୍‌ ଆଗତ ପାଇଁ ବାଟ ଫିଟିଛି। ହେଲେ ସବୁଠୁ ବଡ଼କଥା ହେଲା ଏହି ଅବସରରେ ଅଧିକାଂଶ ସାଂସଦ ଗୃହରେ ଉପସ୍ଥିତ ନଥିଲେ। ହ୍ୱିପ୍‌ ପରେ ବି ପାଖାପାଖି ୨୦ରୁ ଅଧିକ ସାଂସଦ ସଂସଦକୁ ଆସିନଥିଲେ। ଏହାକୁ ନେଇ ଏବେ ଆକ୍ସନ ମୁଡ୍‌କୁ ଆସିଛି ବିଜେପି। ସାଂସଦମାନଙ୍କୁ ଦଳ ନୋଟିସ୍‌ ଜାରି କରିଛି।

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ସଂସଦରେ ‘ସମ୍ବିଧାନ (୧୨୯ତମ ସଂଶୋଧନ) ବିଲ୍ ୨୦୨୪’ ଏବଂ ୟୁନିଅନ୍ ଟେରିଟୋରୀ ଆଇନ (ସଂଶୋଧନ) ବିଲ୍ ୨୦୨୪ ଆଣିଥିଲେ। ବିଜେପି ସାଂସଦମାନଙ୍କୁ ପୂର୍ବରୁ ଲୋକସଭାରେ ଉପସ୍ଥିତ ରହିବା ପାଇଁ ତିନି ଲାଇନ୍‌ର ହ୍ୱିପ୍‌ ଜାରି କରିଥିଲା। ହେଲେ ୨୦ରୁ ଅଧିକ ସାଂସଦ ଉପସ୍ଥିତ ନଥିଲେ। ମୋଦି କ୍ୟାବିନେଟ୍‌ରେ ସାମିଲ ତିନି ଜଣ ବଡ଼ ମନ୍ତ୍ରୀ ନୀତିନ ଗଡକରୀ, ଗିରିରାଜ ସିଂହ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟ ଦେଖା ନଥିଲା।

ତେବେ ଅନୁପସ୍ଥିତ ଥିବା ସମସ୍ତ ସାଂସଦଙ୍କୁ ନିର୍ଦ୍ଦେଶ ଅବହେଳା କରିବା ଅଭିଯୋଗରେ ବିଜେପି ନୋଟିସ୍‌ ଜାରି କରିଛି। ତେବେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଅନେକ ସାଂସଦ ପୂର୍ବରୁ ଗୃହକୁ ଆସିପାରିବେ ନାହିଁ ବୋଲି ଦଳକୁ ସୂଚିତ କରିଥିବା ଜଣାପଡିଛି।

ସୂଚନାଥାଉକି, ମଙ୍ଗଳବାର ଲୋକସଭାରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଲ୍‌ ଆଗତ ହୋଇଥିଲା। ସଂସଦରେ ପ୍ରଥମଥର ପାଇଁ ଇଲେକ୍‌ଟ୍ରୋନିକ ଭୋଟିଂ ମେସିନରେ ଭୋଟ୍‌ ଦେଇଥିଲେ ସଦସ୍ୟ। ତେବେ ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ଭୋଟ୍‌ ପଡ଼ିବାରୁ ବିଲ୍‌ ଆଗତ ପାଇଁ ବାଟ ଫିଟିଛି। ଏବେ ବିଲକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯିବ। ଜେପିସି ରିପୋର୍ଟ ଦେବା ପରେ ବିଲ ପୁଣି ସଂସଦରେ ଆଗତ ହେବ।

Leave A Reply

Your email address will not be published.