Odisha Link
Bridging the Missing Links in Odisha

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ: ପ୍ରତିକ୍ରିୟା ଦେଲେ ଉପମୁଖ୍ୟମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ବରିଷ୍ଠ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରଙ୍କ ପକ୍ଷରୁ ଯାହା ପଦକ୍ଷେପ ନେବା କଥା ନିଆଯାଇଛି। ତାଙ୍କୁ ସମନ କରାଯାଇଛି, ସିବିଆଇକୁ ଯାହା କହିବା କଥା କହିବେ। ଚୂଡ଼ାନ୍ତ ରିପୋର୍ଟ ପରେ ରାଜ୍ୟ ସରକାର ଯାହା ପଦକ୍ଷେପ ନେବେ ବୋଲି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି।

ଅନ୍ୟପଟେ, ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇର ସମନ ପରେ ବିଷ୍ଣୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। ବିବାଦ ପରେ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ୩ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ପଦରୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ଅନୁସୂଚିତ ଜାତି,ଜନଜାତି ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଆ ଭାଷାସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ୧୯୯୭ ବ୍ୟାଚ୍ ଆଇଏଏସ୍ ସଞ୍ଜିବ କୁମାର ମିଶ୍ରଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଶ୍ରୀ ମିଶ୍ର ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ।

ଶ୍ରୀ ମିଶ୍ରଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତି କରାଯାଇଥିବାବେଳେ ସେ ଅତିରିକ୍ତ ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି।

ସେହିପରି ଆନ୍ତଃକ୍ୟାଡ଼ର ଡେପୁଟେସନରେ ଆସିଥିବା ୨୦୦୬ ବ୍ୟାଚ୍ ଆଇଏଏସ୍ ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଶ୍ରୀ ସାହୁଙ୍କୁ ରାଜ୍ୟ ସରକାରଙ୍କ ଅନୁରୋଧରେ କେନ୍ଦ୍ର ସରକାର ଓଡ଼ିଶା ପଠାଇଛନ୍ତି। ପୂର୍ବରୁ ସେ କେନ୍ଦ୍ର ଉପ (ଡେପୁଟି) ନିର୍ବାଚନ କମିଶନର ଭାବେ କାର୍ଯ୍ୟରତ ଥିଲେ। ୨୦୦୬ ବ୍ୟାଚ୍‌ର ଆଇଏଏସ୍‌ ମନୋଜ କୁମାର ସାହୁ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କ୍ୟାଡର୍‌ ଅଧିକାରୀ।

ମନୋଜ ସାହୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ସିଙ୍ଗାରପୁର ଗ୍ରାମର ବାସିନ୍ଦା। ସେ ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାରେ ଜିଲ୍ଲାପାଳ ଦାୟିତ୍ଵ ଗ୍ରହଣ କରିବା ସହ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟରେ ହର ଘର୍ ଜଲ୍‌ରେ କାମ କରି ଖୁବ୍ ପ୍ରଶଂସିତ ହୋଇଛନ୍ତି।

Leave A Reply

Your email address will not be published.