ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ରାଜ୍ୟର ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା..
ଓଏଲ୍ ବ୍ୟୁରୋ: କମୁଛି ପାରଦ ଆଉ ଧୀରେ ଧୀରେ ବଢୁଛି ଶୀତ। ସକାଳ ଓ ରାତି ସମୟରେ ଘରୁ ବାହାରିବା କଷ୍ଟ ହୋଇ ପଡ଼ୁଛି। ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି। ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼। ଦେହ ଥରାଇ ଦେଉଛି କୋହଲା ପବନ। ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି।
ଅନ୍ୟପଟେ, ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି। ରାଜ୍ୟରେ କୋହଲା ପାଗ ସାଙ୍ଗକୁ କାଲିଠୁ ବଢ଼ିବ ବର୍ଷା। ଗଜପତି, ଗଞ୍ଜାମ ସହ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ୧୯ରୁ ବର୍ଷାର ବିସ୍ତୃତି ବଢ଼ିବାର ସମ୍ଭାବନା ରହିଛି।୨୦ରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଲଘୁଚାପ ପରେ ବର୍ଷା ଆକଳନ ହେବାରୁ ଫସଲ ନେଇ ଚାଷୀର ଚିନ୍ତା ବଢିଛି।
ଶୀତକାକରରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତେବେ ଉପାନ୍ତ ଓ ପାହାଡିଆ ଅଞ୍ଚଳମାନଙ୍କରେ ଆହୁରି ଶୀତ ବଢିବା ନେଇ ସୂଚନା ରହିଛି। ଶୀତର ପ୍ରକୋପ ଯୋଗୁ ଶିମିଳିପାଳ ଅଭୟାରଣ୍ୟରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ରହିଛି। ଅଭୟାରଣ୍ୟର କୋର ଇଲାକାର ଥିବା ଆପାର ବାରାହାକାମୁଡାରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ରେକର୍ଡ କରାଯାଇଥିବା ଶିମିଳିପାଳ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି।