ପ୍ରିୟଙ୍କା ଗାନ୍ଧିଙ୍କୁ ବ୍ୟାଗ୍ ଉପହାର ଦେଲେ ଅପରାଜିତା, ମନେପକାଇ ଦେଲେ..
ଓଏଲ୍ ବ୍ୟୁରୋ: ନୂଆକରି ସାଂସଦ ହୋଇଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଏବେ ଖୁବ ଚର୍ଚ୍ଚାରେ। ସେ ଯେତିକି ଚର୍ଚ୍ଚାରେ ଅଛନ୍ତି ତାଙ୍କଠୁ ତାଙ୍କ ବ୍ୟାଗ ଅଧିକ ଚର୍ଚ୍ଚାରେ ରହିଛି। ଅନ୍ୟପଟେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରିୟଙ୍କାଙ୍କୁ ଏକ ବ୍ୟାଗ୍ ଉପହାର ଦେଇ ବ୍ୟାଗ ରାଜନୀତିରେ ଘିଅ ଢାଳିଛନ୍ତି।
ସଂସଦର ଶୀତକାଳୀନ ଅଧିବେଶନର ଶେଷ ଦିନରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧିଙ୍କୁ ଏକ ବ୍ୟାଗ୍ ଉପହାର ଦେଇଛନ୍ତି। ଯେଉଁଥିରେ ୧୯୮୪ ଲେଖା ରହିଛି। ନାଲି କଲରରେ ଏହି ଲେଖା ଲେଖାଯାଇଛି। ଯାହା ୧୯୮୪ ମସିହାରେ ହୋଇଥିବା ଶିଖ୍ ଦଙ୍ଗାକୁ ମନେ ପକାଇ ଦେଇଛି। ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରିତିଦିନ ପ୍ରିୟଙ୍କା ଗାନ୍ଧି ନୂଆ ନୂଆ ବ୍ୟାଗ ଧରି ଆସୁଥିଲେ। ତ ମୁଁ ଭାବିଲି ତାଙ୍କୁ ଏକ ବ୍ୟାଗ ଉପହାର ଦେବି, ସେଥିପାଇଁ ଏହି ବ୍ୟାଗଟି ଉପହାର ଦେଇଛି। ବ୍ୟାଗଟି ଉପରେ ୧୯୮୪ ଲେଖାଯାଇଛି, ଏଥିସହିତ ଲାଲ ରଙ୍ଗର ଛିଟା ମଧ୍ୟ ପଡ଼ିଛି। ଯାହା ୧୯୮୪ ଦଙ୍ଗାକୁ ମନେ ପକାଉଛି ବୋଲି କହିଛନ୍ତି ଅପରାଜିତା।
ଅପରାଜିତା ଆହୁରି କହିଛନ୍ତି, ମୋ ବ୍ୟାଗ ଉପହାରକୁ ପ୍ରିୟଙ୍କା ଗାନ୍ଧି ସ୍ବୀକାର କରିଛନ୍ତି। ହେଲେ ବ୍ୟାଗରେ ଲେଖା ହୋଇଥିବା ପ୍ରସଙ୍ଗରେ ପଦୁଟିଏ କହିଲେନି। ଆଉ ବ୍ୟାଗ ନେଇ ଚାଲିଗଲେ ବୋଲି ଅପରାଜିତା କହିଛନ୍ତି।
ସଂସଦର ଶୀତଅଧିବେଶନର ଶୀତକାଳୀନ ଅଧିବେଶନରେ ବିରୋଧୀ ଦଳ ଗୌତମ ଅଦାନୀଙ୍କ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ। ଡିସେମ୍ବର ୧୦ ତାରିଖରେ ପ୍ରିୟଙ୍କା ଗାନ୍ଧି ଏକ ବ୍ୟାଗ ନେଇ ସଂସଦ ଭବନକୁ ଆସିଥିଲେ। ଯେଉଁଥିରେ ଉଲ୍ଲେଖ ରହିଥିଲା ଯେ ମୋଦି-ଅଦାନୀ ଭାଇ ଭାଇ। ପ୍ରିୟଙ୍କାଙ୍କ ବ୍ୟାଗ ଦେଖି ରାହୁୁଲ କହିଥିଲେ ବ୍ୟାଗଟି କ୍ୟୁଟ ହୋଇଛି। ବ୍ୟାଗଟିରେ ଗୋଟିଏ ପଟେ ମୋଦିଙ୍କ ଫଟୋ ଲାଗିଥିଲା ବେଳେ ଆଉ ଗୋଟେ ପଟେ ଅଦାନୀଙ୍କ ଫଟୋ ଲାଗିଥିଲା।
ଏହାପରେ ଡିସେମ୍ବର ୧୬ ତାରିଖରେ ପ୍ରିୟଙ୍କା ଗାନ୍ଧି ପାଲେଷ୍ଟାଇନ୍ ଲେଖାଥିବା ବ୍ୟାଗ ନେଇ ସଂସଦ ଆସିଥିଲେ। ଯାହାକୁ ନେଇ ମଧ୍ୟ ବିବାଦ ହୋଇଥଇଲା। ଆଉ ଆଜି ଅପରାଜିତା ଷଡ଼ଙ୍ଗୀ ୧୯୮୪ ଲେଖାଥିବା ବ୍ୟାଗ ଉପହାର ଦେଇ ବ୍ୟାଗ ରାଜନୀତିର ପାରା ବଢ଼ାଇଛନ୍ତି।