Odisha Link
Bridging the Missing Links in Odisha

ସଂସଦରେ ଠେଲାପେଲା: ରାହୁଲଙ୍କ ବିରୋଧରେ ମାମଲା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଓଏଲ୍‌ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ସାରା ଦେଶର ରାଜନୀତିକୁ ଉଷ୍ମ କରିଛି। ବାବା ସାହେବ ଆମ୍ବେଦକରଙ୍କ ପ୍ରସଙ୍ଗରେ ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ ତେଜିଛି ବିବାଦ। ଏହାକୁ ନେଇ କଂଗ୍ରେସ ସଂସଦରେ ପ୍ରତିବାଦ କରିଥିଲା। କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ସଂସଦ ପରିସରରେ ଅଭାବନୀୟ ଘଟଣା ଘଟିଥିଲା। ଆମ୍ବେଦକର ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ହୋଇଥିଲା ଠେଲାପେଲା।

ଏଥିରେ ବିଜେପିର ଦୁଇ ଜଣ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇଛନ୍ତି। ଅଭିଯୋଗ ହେଉଛି ଯେ, କୁଆଡେ ରାହୁଲ ଗାନ୍ଧି ସେମାନଙ୍କୁ ଧକ୍କା ଦେଇଛନ୍ତି। ଯାହାକୁ ନେଇ ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଯାହା ତଦନ୍ତ କରିବ ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଟିମ୍।

ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ଖଡଗେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ବାବା ସାହେବଙ୍କ ଉପରେ ଗୃହମନ୍ତ୍ରୀଙ୍କ ବୟାନ ଦୁଃଖଦାୟକ। ନେହରୁଙ୍କୁ ଗାଳି ଓ ଆମ୍ବେଦକରଙ୍କୁ ଅପମାନିତ କରୁଛନ୍ତି। ନେହରୁ ଓ ଆମ୍ବେଦକରଙ୍କ ଉପରେ ଯାହା କହିଛନ୍ତି ସବୁ ମିଛ। ବାବା ସାହେବଙ୍କୁ ପରିହାସର ପାତ୍ର କରିଦେଇଛନ୍ତି। ପ୍ରସଙ୍ଗ ଉପରୁ ନଜର ହଟାଇବାକୁ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରାଯାଇଛି।

ଆମେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ବେଳେ ଆମକୁ ରୋକିଥିଲେ। ଆମକୁ ରୋକିଲେ, କିନ୍ତୁ ଆମ ଉପରେ ଦୋଷ ଲଦୁଛନ୍ତି।ବିଜେପିର ଷଡ଼ଯନ୍ତ୍ର ବିରୋଧରେ ଦେଶ ସାରା ଆନ୍ଦୋଳନ କରିବୁ। ଆମେ ଲୋକଙ୍କ ସମସ୍ୟା ନେଇ ଲଢ଼େଇ କରୁଛୁ। ଦେଶକୁ କ୍ଷମା ମାଗନ୍ତୁ ଗୃହମନ୍ତ୍ରୀ ଅମିତ ଶାହ ବୋଲି ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧି ଓ ଖଡଗେ କହିଛନ୍ତି।

Leave A Reply

Your email address will not be published.