ବଣ୍ଡାଘାଟିରେ ଉପମୁଖ୍ୟମନ୍ତ୍ରୀ, ସୁଭଦ୍ରା ହିତାଧିକାରୀଙ୍କ ସହ କଲେ ଆଲୋଚନା
ଓଏଲ୍ ବ୍ୟୁରୋ: କୋରାପୁଟ ଗସ୍ତରେ ଯାଇ ବଣ୍ଡାଘାଟିରେ ସୁଭଦ୍ରା ହିତାଧିକାରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ। ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ପାଇଛନ୍ତି କି ନାହିଁ ପଚାରି ବୁଝିଲେ। ଯୋଜନାରେ ପାଇଥିବା ଟଙ୍କା ନେଇ ଆଲୋଚନା କରିଛନ୍ତି। ବଣ୍ଡାଘାଟିର ସୁବିଧା ଓ ସମସ୍ୟା ନେଇ ଆଲୋଚନା ହୋଇଥିବା ସୂଚନା ରହିଛି।
ସୂଚନା ଅନୁସାରେ, ଗତକାଲି କୋରାପୁଟ ପର୍ଯ୍ୟଟନ ବିଭାଗର ସଚିବ, ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ, କୋରାପୁଟଙ୍କ ସହ ମିଶି କୋରାପୁଟର ପଣ୍ଡି ଗ୍ରାମ ଏବଂ କୋଲାବ ଜଳଭଣ୍ଡାର ପରିଦର୍ଶନ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ପଣ୍ଡି ଗ୍ରାମ ଏବଂ କୋଲାବ ପରିଦର୍ଶନ କରି ପ୍ରଭାତୀ ପରିଡା କହିଥିଲେ, ଏଠାକାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋରମ ଏବଂ ହୃଦୟସ୍ପର୍ଶୀ। ଏହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ଅପାର ସଂଭାବନା ଅଛି ଏବଂ ଏଥିପାଇଁ ବିଭାଗ ତରଫରୁ ଖୁବ୍ ଶୀଘ୍ର ଯୋଜନା ପ୍ରସ୍ତୁତ ହେବ।
କୋରାପୁଟ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରିବା ସହ ଅର୍ଥ ଯୋଗାଇ ଦେବେ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ କହିଥିଲେ। ସ୍ଥାନୀୟ ଅଞ୍ଚଳରେ ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ଆଦିବାସୀ ମାନଙ୍କର ବିକାଶ ହୋଇପାରିବ। ଜିଲ୍ଲାର କଫି ଚାଷ ଆହୁରି ବ୍ୟାପକ ହେବା ସହ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ସମସ୍ତ ସାହାଯ୍ୟ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ।