୩୧ରେ ସରୁଛି ମନୋଜଙ୍କ କାର୍ଯ୍ୟକାଳ, କିଏ ହେବେ ନୂଆ ମୁଖ୍ୟ ଶାସନ ସଚିବ?
ଓଏଲ୍ ବ୍ୟୁରୋ: କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ? ନା ବଢ଼ିବ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ କାର୍ଯ୍ୟକାଳ। ଏସବୁ ଚର୍ଚ୍ଚା ଏଥିପାଇଁ ଲାଗି ରହିଛି କାରଣ ୧୯୯୦ ବ୍ୟାଚର ଆଇଏଏସ୍ ଅଫିସର୍ ମନୋଜ ଆହୁଜା ଡିସେମ୍ବର ୩୧ ତାରିଖରେ ସରକାରୀ ଚାକିରିରୁ ଅବସର ନେବେ। ତେବେ ବିଜେପି ସରକାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ପରିିବର୍ତ୍ତନ କରିବେ ନା ତାଙ୍କ କାର୍ଯ୍ୟକଳ ବୃଦ୍ଧି କରାଇବେ ? ଏଭଳି ପ୍ରଶ୍ନ କ୍ଷମତା କରିଡରରେ ଉଙ୍କି ମାରୁଛି।
ବିଜେପି ସରକାରକୁ ଆସିବା ପରେ ଜୁନ୍ ୩୦ ତାରିଖରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜା ଦାୟିତ୍ବ ଗ୍ରହଣ କରିଥିଲେ। ସେ ପ୍ରଦୀପ ଜେନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ମନୋଜ ଆହୁଜା ହେଉଛନ୍ତି ୧୯୯୦ ବ୍ୟାଚର ଆଇଏଏସ୍ ଅଫିସର୍। ପ୍ରାୟ ୪୦ ବର୍ଷ ପରେ ଅଣ ଓଡ଼ିଆ ମୁଖ୍ୟ ଶାସନ ସଚିବ ଭାବେ ସେ ପ୍ରଥମଥର ଦାୟିତ୍ୱ ଗ୍ରହଣ କରିଥିଲେ। ୩୯ ବର୍ଷ ତଳେ ଗ୍ୟାନ ଚାନ୍ଦ ଜଣେ ଅଣ ଓଡ଼ିଆ ଭାବେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ। ସେ ୧୯୮୩ ଡିସେମ୍ବର ମାସରୁ ୧୯୮୫ ମସିହା ପର୍ଯ୍ୟନ୍ତ ଓଡ଼ିଶା ମୁଖ୍ୟ ଶାସନ ସଚିବ ଥିଲେ।
୬ ମାସ ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗୁଡ ବୁକ୍ରେ ଅଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା। ରିପୋର୍ଟ କାର୍ଡକୁ ଦେଖିଲେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରିପାରନ୍ତି ମୋହନ ସରକାର। ଅନ୍ୟପଟେ ମୁଖ୍ୟ ଶାସନ ସଚିବ ପଦବିରେ ପରିବର୍ତ୍ତନ ହୋଇ ପାରିବ ନାହିିଁ ବୋଲି ଏଡ଼ାଇ ଯାଇ ପାରିବ ନାହିଁ। କାରଣ ମୁଖ୍ୟ ଶାସନ ସଚିବ ଦୌଡ଼ରେ ନଥିବା ମନୋଜ ଆହୁଜାଙ୍କୁ ଅତର୍କିତ ଭାବେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଦାୟିତ୍ବ ମିଳିଥିଲା।
ବର୍ତ୍ତମାନ ଓଡ଼ିଶା କ୍ୟାଡରର ଆଇଏଏସଙ୍କ ସ୍ଥିତି ଦେଖିଲେ ୧୯୯୦ ବ୍ୟାଚର ଅଧିକାରୀ ଶ୍ରୀ ଆହୁଜାଙ୍କ ଠାରୁ ବରିଷ୍ଠ ହେଉଛନ୍ତି ତୁହିନକାନ୍ତ ପାଣ୍ଡେ। ସେ ୨୦୨୫ ଜୁଲାଇରେ ଅବସର ନେବେ। ଶ୍ରୀ ପାଣ୍ଡେ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ଏବଂ ଓଡ଼ିଶା ଫେରିବାର ସମ୍ଭାବନା ନାହିଁ। ୧୯୯୦ ବ୍ୟାଚ୍ରେ ଶ୍ରୀ ଆହୁଜାଙ୍କ ବାଦ୍ ଆଉ ତିନି ଜଣ ଅଧିକାରୀ ଅଛନ୍ତି। ସେମାନେ ହେଲେ ନୀତିନ ଚନ୍ଦ୍ରା, ସଞ୍ଜୀବ ଚୋପ୍ରା ଓ ଜି ଶ୍ରୀନିବାସ। ସମସ୍ତେ ଏବେ କେନ୍ଦ୍ରୀୟ ଡେପୁଟେସନରେ।
ଏହା ପରେ ତାଲିକାରେ ଅଛନ୍ତି ୧୯୯୧ ବ୍ୟାଚ୍ର ଅନୁ ଗର୍ଗ, ସତ୍ୟବ୍ରତ ସାହୁ ଓ ସଞ୍ଜୟ ରସ୍ତୋଗୀ। ଏମାନଙ୍କ ମଧ୍ୟରୁ ଶ୍ରୀ ରସ୍ତୋଗୀ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ଶ୍ରୀମତୀ ଗର୍ଗ ପୂର୍ବ ସରକାର ସମୟରେ ଉନ୍ନୟନ କମିସନର ଭାବେ ନିଯୁକ୍ତି ପାଇଥିଲେ ଏବଂ ବର୍ତ୍ତମାନର ସରକାର ତାଙ୍କୁ ସେହି ପଦବିରୁ କାଢ଼ି ନାହାନ୍ତି। ଏହି ବ୍ୟାଚର ଶ୍ରୀ ସାହୁ ଏବେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସମ୍ଭାବ୍ୟ ମୁଖ୍ୟ ଶାସନ ସଚିବ ଚର୍ଚ୍ଚାରେ ତାଙ୍କ ନାମ ରହିଛି।
ଯଦି ଶ୍ରୀ ଆହୁଜାଙ୍କ କାର୍ଯ୍ୟକାଳ ବୃଦ୍ଧି ନହୁଏ, ତେବେ ୧୯୯୦ ଓ ୧୯୯୧ ବ୍ୟାଚର ଅଧିକାରୀଙ୍କ ମଧ୍ୟରୁ ଜଣେ କିଏ ମୁଖ୍ୟ ଶାସନ ସଚିବ ହେବା ଥୟ। ତେବେ ଖୁବଶୀଘ୍ର ଏନେଇ ସ୍ପଷ୍ଟ ସୂଚନା ମଳିବ।