ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀ: ସାମିଲ ହେଲେ ଶତାଧିକ ଉତ୍ପାଦକ

ଓଏଲ୍ ବ୍ୟୁରୋ: ଗ୍ରିଡକୋ ଏବଂ ଆଇଫରେଷ୍ଟ (iFOREST)ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରରେ ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀର ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀର ଆୟୋଜନ ୨୦୩୦ ସୁଦ୍ଧା ୭.୫ ଗିଗା ୱାଟ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ହାସଲ ନିମନ୍ତେ ଓଡ଼ିଶାର ପ୍ରତିବଦ୍ଧତାକୁ ଦର୍ଶାଇଛି। ଏହା ରାଜ୍ୟର ୧୦.୯୫ ଗିଗା ୱାଟ ଭଳି ବୃହତ ଲକ୍ଷ୍ୟ ପୂରଣରେ ସହାୟକ ହେବ। ଏହି ନିବେଶକ ସମ୍ମିଳନୀରେ ୧୫୦ରୁ ଊର୍ଦ୍ଧ୍ଵ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରୁ ଉପଭୋକ୍ତା, ୧୦୦ରୁ ଅଧିକ ସୌରଶକ୍ତି ଉତ୍ପାଦନକାରୀ ସଂସ୍ଥା ଓ ପ୍ରାୟ ୪୦୦ ଜଣ ଅଂଶଗ୍ରହଣ କରି ଓଡ଼ିଶାକୁ ସୌରଶକ୍ତିର ହବରେ ପରିଣତ କରିବା ପାଇଁ ସଙ୍କଳ୍ପବଦ୍ଧ ହୋଇଥିଲେ।
ସମ୍ମିଳନୀରେ ମୁଖ୍ୟ ଅତିଥିରୂପେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଥିଲେ ଯେ, ଓଡ଼ିଶା ସରକାର ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଦୃଢ ପ୍ରତିଶୃତିବଦ୍ଧ। ଅକ୍ଷୟ ଶକ୍ତିରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବ। ନିବେଶକଙ୍କ ପାଇଁ ଓଡ଼ିଶାର ଜଳବାୟୁ ମଧ୍ୟ ଅନୁକୂଳ ଏବଂ ଆବଶ୍ୟକୀୟ ସହାୟତା ମଧ୍ୟ ଆମେ ଯୋଗାଇଦେବା ପାଇଁ ପ୍ରସ୍ତୁତ। ଯଶସ୍ଵୀ ପ୍ରଧାନମନ୍ତ୍ରୀ ମଧ୍ୟ ୨୦୭୦ ସୁଦ୍ଧା ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ ଦିଗରେ ପ୍ରେରିତ କରିଛନ୍ତି।